ବିଶ୍ୱ ସ୍ତରରେ ଓଡ଼ିଶାର ନାଁ, ସଫଳ କୋଭିଡ ମୁକାବିଲା ନେଇ WHO କଲା ପ୍ରଶଂସା

କୋଭିଡ୍-୧୯ ପରିଚାଳନାରେ ସଫଳ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଦେଶରେ କଠୋର ପଦକ୍ଷେପ ଗ୍ରହଣ କରିବାରେ ପ୍ରଥମ ରାଜ୍ୟ ଥିଲା ବୋଲି WHO ମତ ରଖିଛି । ରାଜ୍ୟରେ କରୋନାର କୌଣସି ମାମଲା ଆସିନଥିବା ବେଳେ ବି ମାର୍ଚ୍ଚ ୧୩ ତାରିଖରୁ ହିଁ ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରଥମ ପଜିଟିଭ କେଶ ଆରମ୍ଭରୁ ହିଁ ରାଜ୍ୟରେ କଣ୍ଟ୍ରୋଲ ରୁମ୍ ଆରମ୍ଭ ହୋଇ ସାରିଥିଲା । ଶୀଘ୍ର ନିଷ୍ପତ୍ତି ନେବା ତଥା ସାମାଜିକ ଦୂରତା, ଦକ୍ଷତା ବିକାଶ, ଚିକିତ୍ସା ତଥା ସଚେତନତା ଅଭିଯାନ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରୀସ୍ତରୀୟ ଟିମ ଗଠନ କରାଯାଇଥିଲା । ପ୍ରସ୍ତୁତି କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧନରେ ବରିଷ୍ଠ ସଚିବ ମାନଙ୍କୁ ପରିଚାଳନା ଦ୍ୱାୟିତ୍ୱ ଦିଆଯାଇଥିଲା ।
ଏହି ଟିମ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏକ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିଛନ୍ତି । ଏମିତିକି ଦେଶର ସବୁଠାରୁ ବଡ଼ କୋଭିଡ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଥମେ ଓଡ଼ିଶାରେ ହିଁ ପ୍ରତିଷ୍ଠା କରାଯାଇଥିଲା । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାରେ ରେକର୍ଡ କରିଥିଲା ଓଡିଶା । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକର ସଠିକ୍ ମୂଲ୍ୟାୟନ କରାଯାଇଥିଲା । WHO ଓ ଜାତିସଂଘର ଏକ ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ସୁବିଧାର ସ୍ୱତନ୍ତ୍ର ଭାବେ ମୂଲ୍ୟାଙ୍କନ କରାଯାଇଛି । ମେ’ ମାସ ଶେଷ ସୁଦ୍ଧା ୨୨, ୩୪୦ ଶର୍ଯ୍ୟା ବିଶିଷ୍ଟ ଭିତ୍ତିଭୂମି ନିର୍ମାଣ କରିବାରେ ସଫଳ ମଧ୍ୟ ହୋଇଥିଲା ରାଜ୍ୟ । ପ୍ରଭାବଶାଳୀ ମନିଟରିଂ ବ୍ୟବସ୍ଥା ଫଳରେ ଅନ୍ୟରାଜ୍ୟମାନଙ୍କ ତୁଳନାରେ ମୃତ୍ୟୁହାର ଯଥେଷ୍ଟ କମ ରହିପାରିଛି ।
ଜାତୀୟ ଜନସ୍ୱାସ୍ଥ୍ୟ ନୀରିକ୍ଷଣ ପ୍ରକଳ୍ପ ଟିମ୍ ୧୫ଟି ଯୋଜନା ପ୍ରସ୍ତୁତ କରି କଣ୍ଟ୍ରୋଲ ରୁମ୍ ବୈଠକ, ତଦାରଖ, କଣ୍ଟେନମେଣ୍ଟ ଜୋନ୍ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପରୀକ୍ଷା ଓ ଚିକତ୍ସା ପଦକ୍ଷେପର ସମୀକ୍ଷା କରାଯାଇଥିଲା । ରାଜ୍ୟରେ ପରୀକ୍ଷା କ୍ଷମତା, ଗୋଟିଏ ଲ୍ୟାବ୍ରୁ ୧୯ ଲ୍ୟାବ୍କୁ ବୃଦ୍ଧି କରାଯାଇଛି । ଜୁଲାଇ ୨୧ ସୁଦ୍ଧା ଓଡ଼ିଶାରେ ମୋଟ୍ ୪,୦୧,୬୪୪ ନମୁନା ପରୀକ୍ଷା ହୋଇଛି । ଗୋଟିଏ ଦିନରେ ୮ ହଜାରରୁ ଅଧିକ RTPCR ଟେଷ୍ଟ କରାଯାଇଛି । ବହୁ ମାତ୍ରାରେ ଆସିଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ରାଜ୍ୟରେ ବହୁ ସଂଖ୍ୟାରେ ପ୍ରବାସୀ ଆସିଥିଲେ । ଏହାକୁ ପରିଚାଳନା କରିବା ପାଇଁ ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି । ପ୍ରବାସୀଙ୍କ ଗତିବିଧି ଉପରେ ନଜର ରଖିବା, ସେମାନଙ୍କ ଖାଇବା ଓ ରହିବା ବ୍ୟବସ୍ଥା, ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଥିଲା ।