ବିଜେପି ହାତରୁ ଖସି ଗଲା ଛତିଶଗଡ଼ । ୧୫ ବର୍ଷ ଧରି ବିଜେପି ମାଡ଼ି ବସିଥିବା କ୍ଷମତା ଚୌକିକୁ ଛଡାଇ ନେଲା କଂଗ୍ରେସ । ୯୦ ଆସନରୁ ଦଳ ଏକାକୀ ବହୁମତ ହାସଲ କରି ନେଇଛି । ଏକଜିଟ୍ ପୋଲ୍ର ଆକଳନକୁ ଭୁଲ୍ ପ୍ରମାଣିତ କରିଛନ୍ତି ଛତିଶଗଡ଼ ଜନତା । ରମଣ ସିଂହଙ୍କ ଉପରୁ ଭରସା ତୁଟାଇ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେପିକୁ ପଛକୁ ଠେଲିଛି ହାତ । ଦଳର ପ୍ରଦର୍ଶନରେ କେନ୍ଦ୍ରୀୟ ନେତୃତ୍ୱ ଖୁସ୍ । କିନ୍ତୁ ଟେନସନ୍ ଏବେ ରାହୁଲ ଗାନ୍ଧିଙ୍କର । କାହାକୁ ଦଳ ମୁଖ୍ୟମନ୍ତ୍ରୀ ଭାବରେ କରିବ । କାହା ହାତରେ ଛତିଶଗଡ଼ ଭାଗ୍ୟ ଦେବେ ନିଷ୍ପତ୍ତି ନେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରେସ୍ରେ ଅଛନ୍ତି ଚାରି ଜଣ କଂଗ୍ରେସ ନେତା ।
ଭୂପେଶ ବାଘେଲ
ଭୂପେଶ ଛତିଶଗଡ଼ ପିସିସି ସଭାପତି ଅଛନ୍ତି । ଦୁର୍ଗର ପାଟନ ସିଟ୍ରୁ ନିର୍ବାଚନ ଲଢ଼ିଥିଲେ । ପଞ୍ଚମ ଥର ବିଧାୟକ । ରାଜ୍ୟରେ ତୃଣମୂଳ ସ୍ତରରୁ କଂଗ୍ରେସର ହାତ ମୁଠାକୁ ଟାଣ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ରାଜ୍ୟରେ ସରକାର ବିରୋଧୀ ହାଓ୍ଵାକୁ ଜନମତରେ ପରିବର୍ତ୍ତନ କରିବାରେ କିଙ୍ଗ ମେକର୍ ହୋଇଛନ୍ତି । ରାହୁଲ ଗାନ୍ଧି ସଂଗଠନକୁ ଖୁସି କରିବାକୁ ଚାହିଁଲେ ପ୍ରଥମ ପସନ୍ଦ ହେବେ ଭୂପଶ ବାଘେଲ୍ । ତେବେ ରାଜ୍ୟର ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ତାଙ୍କର ଅପଡ଼ ବି ରହିଛି । ପି. ଏଲ୍. ପୁନିଆଙ୍କ ସହ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ବି ଥିଲା ।
ଟି.ଏସ୍. ସିଂହଦେଓ
ଛତିଶଗଡ଼ ବିଧାନସଭାରେ ବିରୋଧୀ ଦଳ ନେତା । ଅମ୍ବିକାପୁର ସିଟ୍ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଟି. ଏସ୍. ସିଂହଦେଓ ହେଉଛନ୍ତି ଛତିଶଗଡ଼ ଇସ୍ତାହାର କମିଟିର ଅଧ୍ୟକ୍ଷ । ନିର୍ବାଚନ ବିଜୟୀ ହେବାରେ କଂଗ୍ରେସର ଜନକଲ୍ୟାଣକାରୀ ଇସ୍ତାହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସବୁଠୁ ଧନୀ ବିଧାୟକ, କିନ୍ତୁ ଲୋକଙ୍କ ଅତିପ୍ରିୟ । ଛତିଶଗଡ଼ରେ କ୍ୟାମ୍ପେନ୍ ଫେସ୍ ଟି. ଏମ୍. ସିଂଦେବ । ବ୍ୟବସାୟୀ ସଂଘର ସମର୍ଥନ ରହିଛି ତାଙ୍କ ପାଖରେ । ତେବେ ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଥିଲେ । ଯାହାକୁ ନେଇ ଦଳରେ ବିବାଦ ସୂତ୍ରପାତ ବି ହୋଇଥିଲା । କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ଦବଦବା ଢ଼େର ଅଧିକ । ମୁଖ୍ୟମନ୍ତ୍ରୀ ପାଇଁ ଶତ ପ୍ରତିଶତ ଦାବିଦାର ଅଛନ୍ତି ଟି. ଏସ୍. ସିଂହଦେଓ।
ଚରଣ ଦାସ ମହନ୍ତ
ପୂର୍ବତନ ସାଂସଦ ଓ ପୂର୍ବତନ ମନ୍ତ୍ରୀ । ଛତିଶଗଡ଼ରେ ଚରଣ ଦାସ ମହନ୍ତଙ୍କ କାନ୍ଧରେ କଂଗ୍ରେସ ଦେଇଛି ପ୍ରଚାର ଅଭିଯାନ କମିଟିର ଅଧ୍ୟକ୍ଷ ଦାୟିତ୍ୱ । କଂଗ୍ରେସ ଓ ଗାନ୍ଧି ପରିବାର ସହ ବହୁ ପୁରୁଣା ସମ୍ପର୍କ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଦବ୍ଦବା ରହିଛି ତାଙ୍କର । ଛତିଶଗଡ଼ର ପୂର୍ବତନ ପିସିସି ସଭାପତି ଭାର ବି ସମ୍ଭାଳିଥିଲେ । ନିର୍ବାଚନ ବେଳେ ରାଜ୍ୟରେ ବଡ଼ କଂଗ୍ରେସ ନେତାଙ୍କୁ ଏକାଠି କରିବାରେ ଗୁରୁ ଦାୟିତ୍ୱ ନିଭାଇଥିଲେ ଚରଣ ଦାସ ମହନ୍ତ । ତେବେ ତାଙ୍କର ନେଗେଟିଭ୍ ପଏଣ୍ଟ ହେଉଛି, ପୂରା ପ୍ରଦେଶରେ କର୍ତ୍ତୃତ୍ୱ ନାହିଁ । ସବୁବେଳେ ରାୟପୁର ଓ ଦିଲ୍ଲୀରେ ରହୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟାଣୁଆ ନେତା ଭାବରେ ସେ ବି ମୁଖ୍ୟମନ୍ତ୍ରୀ ହେବାକୁ କଂଗ୍ରେସର ପସନ୍ଦିଆ ଚେହେରା ।
ତାମ୍ରଧ୍ୱଜ ସାହୁ
ଛତିଶଗଡ଼ କଂଗ୍ରେସର ଓବିସି ଚେହେରା । ରାଜ୍ୟରେ ଓବିସି ଓ୍ଵିଙ୍ଗ୍ର ଅଧ୍ୟକ୍ଷ ତାମ୍ରଧ୍ୱଜ ସାହୁ । ଛତିଶଗଡ଼ର ଏକମାତ୍ର କଂଗ୍ରେସ ସାଂସଦ । ଚଳିତ ବିଧାନସଭାରେ ଦୁର୍ଗ ଗ୍ରାମାଞ୍ଚଳରୁ ନିର୍ବାଚନକୁ ଓହ୍ଲାଇଛନ୍ତି । ତାମ୍ରଧ୍ୱଜଙ୍କ ସବୁଠୁ ବଡ଼ ଶକ୍ତି ହେଲା, ଓବିସି ବର୍ଗ ବିଶେଷ କରି ସାହୁ ସମାଜର ସମର୍ଥନ ତାଙ୍କ ପଛରେ ରହିଛି । ସ୍ୱଚ୍ଛ ଭାବମୂର୍ତ୍ତି ଥିବା ନେତା । ରାଜ୍ୟରେ କଂଗ୍ରେସ ନେତାଙ୍କ ସହ ଉତ୍ତମ ସମ୍ପର୍କ ବି ରହିଛି । କିନ୍ତୁ ରାଜ୍ୟବ୍ୟାପୀ ତାମ୍ରଧ୍ୱଜଙ୍କ ପ୍ରଭାବ ସେତେଟା ନାହିଁ । ରାଜ୍ୟରେ କଂଗ୍ରେସ କମ୍ବ୍ୟାକ୍ କରିବା ପଛରେ ତାଙ୍କର ଭୂମିକା ଗୌଣ । ତେବେ ବରିଷ୍ଠ ନେତା ଓ ରାଜ୍ୟର ସିଂହଭାଗ ରହୁଥିବା ଓବିସି ବର୍ଗଙ୍କ ସମର୍ଥନ ଥିବାରୁ ତାମ୍ରଧ୍ୱଜ ବି ମୁଖ୍ୟମନ୍ତ୍ରୀ ରେସ୍ରେ ଅଛନ୍ତି ।
ମୁଁ ନୁହେଁ, ଆମେ ଫଣ୍ଡାରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ସଫଳତା ସାଉଁଟିଛି କଂଗ୍ରେସ । ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ହାତ ତାର ପ୍ରଭାବ ଜାହିର କରିଥିବା ବେଳେ ଏବେ କିଏ ହେବେ ମଙ୍ଗୁଆଳ, ସେନେଇ ଅଙ୍କକଷା । ଛତିଶଗଡ଼ରେ କଂଗ୍ରେସ କାହାକୁ ଦେବ ଶାସନ ଗାଦି ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ଏବେ ଅପେକ୍ଷା । ଆସନ୍ତାକାଲି (ବୁଧବାର) ଦିନ ୧୧ଟାରେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ବଛାଯିବ ବିଧାୟକ ଦଳ ନେତା ।
ରିପୋର୍ଟ : ଅଜିତ କୁମାର ଦେହୁରୀ