ଲୋକସଭାରେ କିଏ ନେବ ଗୁରୁ ଦାୟିତ୍ୱ ? କାହାକୁ ମିଳିବ ବାଚସ୍ପତି ଆସନ, ଆଜି ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭାରେ କିଏ ହେବେ ବାଚସ୍ପତି। ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିପାରେ । ଜଣା ପଡିବ ବାଚସ୍ପତି ପଦ ଲାଗି ଏନଡିଏ କାହାକୁ ଚୟନ କରୁଛି। ଜୁନ ୨୬ରେ ରହିଛି ବାଚସ୍ପତି ନିର୍ବାଚନ । ରେସରେ ୪ ଜଣ ନାଁ ଚର୍ଚ୍ଚାକୁ ଆସିଛି । ସେମାନେ ହେଲେ ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଓ ଆନ୍ଦ୍ରପ୍ରଦେଶର ବିଜେପି ସଭାପତି ଡି ପୁରେନ୍ଦେଶ୍ବରୀ । ସପ୍ତଦଶ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ଏନଡିଏ ଚାହୁଁଥିବା ଚର୍ଚ୍ଚା ହେଉଛି । ଓଏମ୍ ବିର୍ଲା ତିନି ଥର ରାଜସ୍ଥାନର କୋଟାରୁ ସାଂସଦ ହୋଇଛନ୍ତି । ୨୦୧୪ରେ ପ୍ରଥମ ଥର ସାଂସଦ ହୋଇଥିଲେ । ୨୦୧୯ରେ ସାଂସଦ ହେବା ପରେ ବାଚସ୍ପତି ହୋଇଥିଲେ ଓମ ବିର୍ଲା। ୨୦୨୪ରେ ଲଗାତାର ତୃତୀୟ ଥର ସାଂସଦ ହୋଇଛନ୍ତି ।

ସେପଟେ ଭର୍ତ୍ତୃହରି ମହତାବ ୭ ଥରର ସାଂସଦ। ୧୯୯୮ରୁ କଟକ ଲୋକସଭା ଆସନରୁ ଲଗାତାର ଜିତି ଆସୁଛନ୍ତି । ପ୍ରଥମ ଛଅ ଥର ବିଜେଡିରୁ ଏବଂ ୨୦୨୪ରେ ବିଜେପିରୁ ଜିତି ସାଂସଦ ହୋଇଛନ୍ତି । ରାଧାମୋହନ ସିଂ ମଧ୍ୟ ୭ ଥରର ସାଂସଦ। ସେ ମୋତିହାରିରୁ ୩ ଥର ସାଂସଦ ଥିବା ବେଳେ ଏବଂ ପୂର୍ବ ଚମ୍ପାରଣ ଲୋକସଭା କ୍ଷେତ୍ରରୁ ଲଗାତାର ୪ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ମୋଦି ସରକାରଙ୍କ ପ୍ରଥମ ପାଳିରେ ସେ କେନ୍ଦ୍ର କୃଷିମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ଡି ପୁରେନ୍ଦେଶ୍ବର ତିନି ଥରର ସାଂସଦ । ୨୦୦୪ ଓ ୨୦୦୯ରେ କଂଗ୍ରେସରୁ ସାଂସଦ ଥିଲେ । ୨୦୨୪ରେ ସେ ରାଜମହେନ୍ଦ୍ରିରୁ ବିଜେପିରୁ ସାଂସଦ ଅଛନ୍ତି । କେନ୍ଦ୍ରରେ ମନମୋହନ ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳି ଥିଲେ ।

ସେପଟେ ଦଳିତ ନେତା କେ. ସୁରେଶଙ୍କୁ କାମଚଳା ବାଚସ୍ପତି ନିଯୁକ୍ତି ପାଇଁ ଦାବି ରଖିଥିଲା କଂଗ୍ରେସ। କିନ୍ତୁ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥିଲା । ବର୍ତ୍ତମାନ ଇଣ୍ଡିଆ ମେଣ୍ଟ ୮ ଥରର କଂଗ୍ରେସ ସାଂସଦ କେ ସୁରେଶଙ୍କୁ ଉପବାଚସ୍ପତି କରିବାକୁ ଅଡି ବସିଛି । ଯଦି କେ ସୁରେଶଙ୍କୁ ଉପବାଚସ୍ପତି ନେଇ ଏନଡିଏ ସହମତି ପ୍ରକାଶ ନ କରେ ତେବେ କେ ସୁରେଶଙ୍କୁ ଇଣ୍ଡିଆ ମେଣ୍ଟ ବାଚସ୍ପତି ପ୍ରାର୍ଥୀ କରିପାରେ । ଯଦି ବାଚସ୍ପତି ପଦ ଲାଗି ନିର୍ବାଚନ ହୁଏ ତେବେ ସ୍ବାଧୀନ ଭାରତରେ ପ୍ରଥମ ଥର ଲାଗି ବାଚସ୍ପତି ପଦ ଲାଗି ନିର୍ବାଚନ ହେବ । ଏନଡିଏ ୨୯୩ ଓ ଇଣ୍ଡିଆର ୨୩୪ ସାଂସଦ ଅଛନ୍ତି । ଏନଡିଏର ୨୯୩ରୁ ବିଜେପିର ୨୪୦, ଟିଡିପିର ୧୬ ଓ ଜେଡିୟୁର ୧୨ ସାଂସଦ ଅଛନ୍ତି ।

You might also like