ପଦ ଛାଡ଼ିବେ ଅରବିନ୍ଦ କେଜ୍ରିଓ୍ୱାଲ, କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆସନ୍ତାକାଲି ସିଏମ୍‌ ପଦରୁ ଇସ୍ତଫା ଦେବେ । ଏବେ ପ୍ରଶ୍ନ ଉଠିଛି ଯେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ବର୍ତ୍ତମାନ ସୁଦ୍ଧା ଏହି ପ୍ରଶ୍ନକୁ ନେଇ ସସ୍‌ପେନ୍ସ ଲାଗି ରହିଛି । କିନ୍ତୁ ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ୫ ଜଣ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ରାଜନୈତିକ ମହଲରେ ମଧ୍ୟ ଅନୁମାନ କରାଯାଉଛି କି, ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ମୋହର ବାଜିପାରେ ।

ଆସନ୍ତାକାଲି ଆପ୍‌ ବିଧାୟକ ଦଳର ବୈଠକରେ ଚୂଡ଼ାନ୍ତ ନାମ ଘୋଷଣା କରାଯିବ । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅତିଶୀ, ସୁନିତା କେଜ୍ରିଓ୍ୱାଲ, ଗୋପାଳ ରାୟ, କୈଳାଶ ଗେହଲଟ୍‌ ଓ ସୌରଭ ଭରଦ୍ୱାଜଙ୍କ ନାମ ରହିଛି ।

କହି ରଖୁଛୁ, ଗତକାଲି ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ୨ ଦିନ ପରେ ସେ ସିଏମ୍‌ ପଦ ଛାଡ଼ିବେ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଲିଟିକାଲ୍‌ ଆଫେୟାର୍ସ କମିଟି (ପିଏସି)ର ଏକ ବୈଠକ ଡକାଯାଇଛି ।

ମଙ୍ଗଳବାର ସକାଳ ୧୧ଟାରେ ଆମ୍ ଆଦମୀ ପାର୍ଟି ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିବ । ଅରବିନ୍ଦ କେଜ୍ରିଓ୍ୱାଲ ଅପରାହ୍ନ ୪ଟା ୩୦ରେ ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଭି.କେ. ସକ୍ସେନାଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like