ଦୁଷ୍କର୍ମ ସହିଲେ, ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିଲେ; ଶେଷରେ ନିଆଁରେ ଜଳିଗଲେ

ନୂଆଦିଲ୍ଲୀ : ପ୍ରଥମେ ଦୁଷ୍କର୍ମ ଓ ପରେ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଉଭୟ ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ଉନ୍ନାଓ ପୀଡ଼ିତା । ଶେଷରେ ଗତକାଲି ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଗଲା । ମରିବା ପୂର୍ବରୁ ସେ ଡାକ୍ତରଙ୍କ ପାଖରେ କାକୁତି ମିନତି କରିଥିଲେ । ମୋତେ ବଞ୍ଚେଇ ଦିଅନ୍ତୁ ଡାକ୍ତର । ମୁଁ ବଞ୍ଚିବାକୁ ଚାହୁଁଛି । ହେଲେ ମୃତ୍ୟୁ ଆଗରେ ହାରିଗଲା ସବୁ ଡାକ୍ତରୀ ବିଦ୍ୟା ଆଉ ବିଜ୍ଞାନ ।

କାନ୍ଦିଲେ ଡାକ୍ତର

ଗତ ଗୁରୁବାର ଦିନ ତାଙ୍କୁ ଲକ୍ଷ୍ନୌ ସିଭିଲ ହସପିଟାଲରୁ ଏୟାର ଲିଫ୍ଟ କରି ଦିଲ୍ଲୀକୁ ଅଣାଯାଇଥିଲା । ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ଯୋଗୁଁ ସେ ବଞ୍ଚିବାର ସମ୍ଭାବନା ନଥିଲା । କାରଣ ଦେହର ଚମ ସବୁ ପୋଡ଼ି ଯାଇଥିବାରୁ ଜଳୀୟ ଅଂଶ ସବୁ ବାହାରି ଆସୁଥିଲା । ଅତ୍ୟନ୍ତ ଯନ୍ତ୍ରଣା ସହି ସହି ଶେଷକୁ ମୃତ୍ୟୁ ଆଗରେ ହାର ମାନିଗଲେ ପୀଡ଼ିତା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆଖିରେ ଲୁହ ଆସିଗଲା । ଯଦିଓ ସେ ଏଭଳି ଅନେକ ଘଟଣା ଆଗରୁ ଦେଖିଥିଲେ ହେଲେ ଉନ୍ନାଓ ପୀଡ଼ିତା ତାଙ୍କ ଆଖିରେ ଲୁହ ଦେଇଗଲେ । ମେଡିକାଲର ଅଧୀକ୍ଷକ ଡାକ୍ତର ସୁନୀଲ ମେହଟ୍ଟା ଏହି ଘଟଣାରେ ପୂରାପୂରି ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, ଆମେ ତାଙ୍କୁ ଭେଣ୍ଟିଲେଟରରେ ରଖି ସବୁ ପ୍ରକାର ଯତ୍ନ ନେଇଥିଲୁ । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ଶରୀରର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଠିକ୍‌ ଭାବେ କାମ କରୁଥିଲା । ତଥାପି ମଝିରେ ମଝିରେ ଟିକିଏ କଥା କହି ଦେଇ ସେ ବେହୋସ ହୋଇ ଯାଉଥିଲେ ।

UNNAO-4

ଅପେକ୍ଷା ଥିଲା ୭୨ ଘଣ୍ଟା, ହେଲେ ୪୪ ଘଣ୍ଟାରେ ଶେଷ

ଡାକ୍ତର ମେହଟ୍ଟା କହିଛନ୍ତି, ଏଭଳି ଘଟଣାରେ ପ୍ରଥମ ୭୨ ଘଣ୍ଟା ରୋଗୀ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ପରେ ଅନେକ ସୁଧାର ଆସିଯାଏ । ହେଲେ ୪୪ ଘଣ୍ଟା ଭିତରେ ଝିଅଟି ଆରପାରିକୁ ଚାଲିଗଲା । ଶେଷ ୨୪ ଘଣ୍ଟାରେ ସେ ଭଲ ଭାବେ ନିଶ୍ୱାସ ନେଇ ପାରୁନଥିଲେ । ଗୁରୁବାର ଠାରୁ ଝିଅର ଭାଇ ସାଙ୍ଗରେ ଥିଲେ । କାଲି ମା ଓ ଭଉଣୀ ଦିଲ୍ଲୀରେ ପହଞ୍ଚିଥିଲେ । ପୀଡ଼ିତା ଆଡମିଟ୍‌ ହୋଇଥିବା ବର୍ଣ୍ଣ ଓ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଶଲଭ କୁମାର କହିଛନ୍ତି, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଭେଣ୍ଟିଲେଟର ଭିତରେ ଥିବା ପୀଡ଼ିତା ଟିକେ ହଲଚଲ୍‌ ହୋଇଥିଲେ । ତାଙ୍କ ବ୍ଲଡ୍‌ ପ୍ରେସର କମି ଯାଇଥିଲା । ଏହା ପରେ ଡାକ୍ତର ଔଷଧ ଦେବା ଆରମ୍ଭ କରିଥିଲେ ଏବଂ ତାଙ୍କ ହାତପାଦକୁ ମାଲିସ କରାଯାଇଥିଲା । ଫଳରେ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ବ୍ଲଡ୍‌ ପ୍ରେସର୍‌ ଟିକେ ନର୍ମାଲ ହୋଇଥିଲା । ହେଲେ ରାତି ୧୧.୧୦ରେ ପୁଣି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଗଲା । ତାଙ୍କୁ ତୁରନ୍ତ ଇଞ୍ଜେକସନ୍‌ ଦିଆଗଲା । ତେବେ ୧୧.୩୦ରେ ହାର୍ଟ ଆଟାକ୍‌ ହେଲା ଓ ୧୧.୪୦ରେ ସେ ସବୁ ଦିନ ପାଇଁ ନିଶ୍ଚଳ, ନିରବ ହୋଇଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.