ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲରେ ତାଙ୍କର ୪୫ ଘଣ୍ଟା ଧ୍ୟାନ ଆରମ୍ଭ କରିଛନ୍ତି । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଧ୍ୟାନ କରିବାକୁ କନ୍ୟାକୁମାରୀରେ ପହଞ୍ଚିଥିଲେ । ଭଗବତୀ ଅମ୍ମନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଧ୍ୟାନ ଆରମ୍ଭ କରି ଦେଇଛନ୍ତି । ସେ ଜୁନ ୧ ସଂଧ୍ୟା ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହିବେ। ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିବା ବେଳେ କୌଣସି ପର୍ଯ୍ୟଟକ ବିବେକାନନ୍ଦ ସ୍ମାରକୀ ଶିଳା ନିକଟକୁ ଯାଇପାରିବେ ନାହିଁ । ଖାଲି ସେତିକି ନୁହେଁ, ସମୁଦ୍ର ଉପକୂଳକୁ ମଧ୍ୟ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ମୋଦୀ ତାଙ୍କ ଗସ୍ତ ପାଇଁ ବିବେକାନନ୍ଦ ରକ୍ ମେମୋରିଆଲ୍ କାହିଁକି ବାଛିଛନ୍ତି?
ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ପାଇଁ ବିବେକାନନ୍ଦ ରକ୍ ମେମୋରିଆଲ୍ ବାଛିବାର କାରଣ ଆମେ ଯାହା ପାଇଲୁ କି, ବିବେକାନନ୍ଦ ରକ୍ ମେମୋରିଆଲ୍ ହେଉଛି ଏକ ସ୍ମାରକ ଏବଂ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଅଟେ । ଯାହା ଭାଭାଥୁରାଇରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ । ଏକ ବଡ଼ ପଥର ଉପରେ ଅବସ୍ଥିତ । ଏହାକୁ ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗରରେ ଘେରି ରହିଛି ।
ଏହି ସ୍ମାରକରେ ଦୁଇଟି ପ୍ରାଥମିକ ସଂରଚନା ରହିଛି । ବିବେକାନନ୍ଦ ମଣ୍ଡପମ୍, ଯେଉଁଠାରେ ସମ୍ମାନିତ ସ୍ୱାମୀ ବିବେକାନନ୍ଦଙ୍କର ଏକ ଆକର୍ଷଣୀୟ ପିତ୍ତଳ ପ୍ରତିମୂର୍ତ୍ତି ଏବଂ ଶ୍ରୀପାଦ ମଣ୍ଡପମ୍, ଯେଉଁଥିରେ ଦେବୀ କନ୍ୟାକୁମାରୀଙ୍କର ପାଦଚିହ୍ନ ରହିଛି । ଏହି ସ୍ଥାନର ବହୁତ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଏଠାରେ ଦେବୀ କନ୍ୟାକୁମାରୀ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିବା ନେଇ କିମ୍ବଦନ୍ତୀ କାହାଣୀ ରହିଛି ।
ଏହା ସହିତ ଏଠାରେ ଧ୍ୟାନ କରିବା ପରେ ବିବେକାନନ୍ଦଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ । ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ତିନିଦିନ ଧରି ଧ୍ୟାନ କରିଥିଲେ ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାଳରେ କୌଣସି ଅସୁରକ୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ୨ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ତିରୁନେଲଭେଲି ରେଞ୍ଜ ଡିଆରଜି ପ୍ରବେଣ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜବୁତ କରାଯାଇଥିଲା ।
୨୦୧୯ରେ ପ୍ରଧାନମନ୍ତ୍ରୀ ଦେବଭୂମୀ ଉତ୍ତରାଖଣ୍ଡର କେଦାରନାଥ ଓ ୨୦୧୪ ମସିହାରେ ଶିବାଜୀଙ୍କ ପ୍ରତାପଗଡ ପରିଦର୍ଶନ କରିଥିଲେ:

ତେବେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଧ୍ୟାତ୍ମିକ ଯାତ୍ରା ପ୍ରଥମ ଘଟଣା ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ମଧ୍ୟ ଏପରି ସ୍ୱତନ୍ତ୍ର ଆଧ୍ୟାତ୍ମିକ ଯାତ୍ରା କରୁଛନ୍ତି । ଏହାପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଦେବଭୂମୀ ଉତ୍ତରାଖଣ୍ଡର କେଦାରନାଥ ଗସ୍ତ କରିଥିଲେ । କେଦାରନାଥ ଯାଇ ଗୁମ୍ଫାରେ ଧ୍ୟାନ କରିଥିଲେ । ୨୦୧୪ ମସିହାରେ ଶିବାଜୀଙ୍କ ପ୍ରତାପଗଡ ପରିଦର୍ଶନ କରିଥିଲେ।
ଲୋକସଭା ନିର୍ବାଚନ ଶେଷ ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନ୍ୟାକୁମାରୀ ଗସ୍ତ, ଗୋଟିଏ ପଟେ ତାମିଲନାଡୁ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ଏବଂ ପ୍ରେମ ବ୍ୟକ୍ତ କରିଛନ୍ତି, ଅନ୍ୟ ପଟେ ଏହା ମଧ୍ୟ ଦର୍ଶାଉଛି ଯେ ଏକ ବିକଶିତ ଭାରତ ଏବଂ ୨୦୪୭ କୁ ନେଇ ଥିବା ତାଙ୍କର ସଂକଳ୍ପ କେତେ ଗମ୍ଭୀର ଏବଂ ପ୍ରତିବଦ୍ଧ । ସେ ଏହି କନ୍ୟାକୁମାରୀରେ ଧ୍ୟାନ କରି ଦେଶବାସୀଙ୍କୁ ଜାତୀୟ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।
ସେପଟେ କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନକୁ ନେଇ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ କଥା କହିବା ଆରମ୍ଭ କରିଛନ୍ତି । ଲୋକଙ୍କ ସହ ଛଳନା କରି ନିଜ ଢଙ୍ଗରେ ଫସାଇବାକୁ ଚେଷ୍ଟା କରୁଥିବା କହିଛନ୍ତି । ଏହାକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି । ୪୮ ଘଣ୍ଟିଆ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛି ।