ଟ୍ରମ୍ପଙ୍କ ସହ ରାତ୍ରି ଭୋଜନ… ଗୋଟିଏ ଥାଳି ୯ କୋଟି ! ଶପଥ ଗ୍ରହଣ ପୂର୍ବରୁ ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ‘ଡିନର ପଲିଟିକ୍ସ’

ଆମେରିକାରେ ଟ୍ରମ୍ପଙ୍କ ‘ଡିନର ପଲିଟିକ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ଜୋରାସାରରେ ପ୍ରସ୍ତୁତି ଚାଲିଥିବା ବେଳେ ଏହା ପୂର୍ବରୁ ଡିନର ପଲିଟିକ୍ସକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜାନୁୟାରୀ ୨୦ରେ ଟ୍ରମ୍ପ୍ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ପଥର ଶପଥ ନେବେ ।
ପ୍ରକୃତ କଥା ହେଲା, ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହ ବ୍ୟକ୍ତିଗତ ରାତ୍ରି ଭୋଜନ ପାଇଁ ଲୋକଙ୍କୁ ପ୍ରବଳ ମାତ୍ରାରେ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି । ଏହାକୁ ‘ଫଣ୍ଡରେଜିଙ୍ଗ୍’ ବା ଫାଣ୍ଠି ସଂଗ୍ରହ ଡିନର ନାଁ ଦିଆଯାଇଛି ।
ଅର୍ଥ ସଂଗ୍ରହ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିକେଟ୍ ପ୍ୟାକେଜକୁ ୫ ଅଲଗା ଅଲଗା ସ୍ତରରେ ବଣ୍ଟାଯାଇଛି । ପ୍ରଥମ ଟିକେଟ୍ ଦାମ୍ ୧ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପାଖାପାଖି ୯ କୋଟି ଟଙ୍କା ରଖାଯାଇଛି । ଏହିପରି ଅନ୍ୟ ଟିକେଟଗୁଡ଼ିକର ଦାମ୍ ଯଥାକ୍ରମେ ୫୦୦,୦୦୦ ଡଲାର, ୨୫୦,୦୦୦ ଡଲାର, ୧୦୦,୦୦୦ ଡଲାର ଓ ୫୦,୦୦୦ ଡଲାର ରହିଛି ।
ଏହା ବ୍ୟତୀତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଭେଟିବା ପାଇଁ ମଧ୍ୟ ବଡ଼ ଦାତାମାନଙ୍କୁ ଦୁଇ ଗୁଣା ଅର୍ଥ ଦେବାକୁ ପଡ଼ିବ । ଏଥିପାଇଁ ସର୍ବାଧିକ ମୂଲ୍ୟ ୧ ମିଲିୟନ୍ ଡଲାର ରଖାଯାଇଛି । ଏହି ପର୍ଯ୍ୟାୟ ପ୍ୟାକେଜରେ ଦାତାମାନଙ୍କୁ ଉପରାଷ୍ଟ୍ରପତିଙ୍କ ସହ ଡିନର ପାଇଁ ୨ଟି ଟିକେଟ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ‘କ୍ୟାଣ୍ଡେଲଲାଇଟ୍ ଡିନର’ ପାଇଁ ୬ଟି ଟିକେଟ୍ ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ସବୁଠୁ ବଡ଼ ପ୍ୟାକେଜ୍ ପାଇଁ ଅର୍ଥ ମଧ୍ୟ ଦେଇସାରିଛନ୍ତି ।
ଉଦଘାଟନୀ କମିଟି ନିଜର ଏକ ରିପୋର୍ଟରେ କହିଛି ଯେ ‘ଫଣ୍ଡରେଜିଙ୍ଗ୍’ ଡିନରରୁ ଏ ପର୍ଯ୍ୟନ୍ତ ପ୍ରାୟ ୧,୭୦୦ କୋଟି ଟଙ୍କା (ଭାରତୀୟ ମୁଦ୍ରା) ସଂଗ୍ରହ କରାଯାଇଛି । ଏଥିରୁ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୭ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରି ଭୋଜନ କାର୍ଯ୍ୟକ୍ରମରେ ୧୦୬ ମିଲିୟନ ଡଲାର ସଂଗୃହୀତ ହୋଇଥିଲା । ଜୋ ବାଇଡେନଙ୍କ କାର୍ଯ୍ୟକ୍ରମରେ ୧୩୫ ମିଲିୟନ ଡଲାର ସଂଗ୍ରହ କରାଯାଇଥିଲା ।