କାହିଁକି ରୁଷିଆ ଆକ୍ରମଣ କଲା ୟୁକ୍ରେନ୍କୁ, ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର ନୁହେଁ ତ ?

ରୁଷିଆ ଆକ୍ରମଣ କରିଛି ତାର ପଡ଼ୋଶୀ ରାଷ୍ଟ୍ର ୟୁକ୍ରେନ୍କୁ । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । କାରଣ ମନରେ ଏଭଳି ଏକ ଭୟ ଆସିଛି ଯେ ଏହି ଦୁଇଦେଶର ଲଢ଼େଇ ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର୍ ନୁହେଁ ତ ? ତେବେ ଆସନ୍ତୁ ଜାଣିବା ଦିନେ ସୋଭିଏତ ରିପବ୍ଲିକ୍ ଅଧୀନରେ ଥିବା ଉଭୟ ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ କାହିଁକି ତିକ୍ତତା ହେଲା ଓ ଯୁଦ୍ଧ ଯାଏ କଥା ଗଲା ।
ସୋଭିଏତ ୟୁନିୟନ ଭାଙ୍ଗିଯିବା ପରେ ଉଭୟ ରୁଷିଆ ଓ ୟୁକ୍ରେନ୍ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେଲେ । ତେବେ ଦୁଇ ଦେଶ ମଧ୍ୟରେ ସାମାଜିକ ଓ ସାସଂସ୍କୃତିକ ସମାନତା ରହିଛି । ୟୁକ୍ରେନ୍ରେ ମଧ୍ୟ ରୁଷୀୟ ଭାଷା କୁହାଯାଏ । ତଥାପି ଦୁଇ ଦେଶ ଭିତରେ ତିକ୍ତତା ଲାଗି ରହିଲା । ୨୦୧୪ରେ ମଧ୍ୟ ରୁଷିଆ, ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ ୧୪ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଡୋନୋବାସ୍ ଅଞ୍ଚଳରେ ୟୁକ୍ରେନ୍ ବିରୋଧୀମାନେ ସକ୍ରିୟ ଅଛନ୍ତି । ଯେଉଁମାନଙ୍କୁ ରୁଷିଆ ସମର୍ଥନ କରୁଛି । ଯାହାକୁ ନେଇ ତିକ୍ତତା ଓ ବିବାଦ ବଢ଼ିଛି । ତେବେ ଗତ ବର୍ଷ ଜାନୁଆରୀ ମାସରୁ ଏହି ତିକ୍ତତା ଆହୁରି ବୃଦ୍ଧି ପାଇଛି । ଯେତେବେଳେ କି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଡୋମୋର େଓ୍ଵନସ୍କି ନାଟୋର ସସ୍ୟତା ପାଇଁ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନଙ୍କ ସମର୍ଥନ ଲୋଡ଼ିଥିଲେ । ଏହାକୁ ରୁଷିଆ ବିରୋଧ କରିଥିଲା । ଏବେ ପୁଣି ସେହି କଥାକୁ ନେଇ ରୁଷିଆ ଚେତାବନୀ ଦେବା ପରେ ସିଧାସଳକ ଆକ୍ରମଣ କରିଛି ୟୁକ୍ରେନ୍ ଉପରେ । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି କି ଯଦି ୟୁକ୍ରେନ୍କୁ ନାଟୋରେ ସଦସ୍ୟତା ମିଳେ ତେବେ ସେ ପରମାଣୁ ଆକ୍ରମଣ କରିବେ ।
ଉତ୍ତର ଆଟଲାଣ୍ଟିକ ଅଞ୍ଚଳରେ ସ୍ୱାଧୀନତା, ନିରାପତ୍ତା, ଶାନ୍ତି, ସୌହାର୍ଦ୍ଦ ରକ୍ଷା ପାଇଁ ୟୁରୋପର ଦେଶମାନଙ୍କୁ ନେଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ରେ ନାଟୋ ଗଠନ ହୋଇଛି । ଯାହା ହେଉଛି ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍ ବା ନାଟୋ । ଏଥିରେ ଥିବା ସମସ୍ତ ସଦସ୍ୟ ଏକ ଚୁକ୍ତି ମଧ୍ୟ କରିଛନ୍ତି । ଆମେରିକା, ବ୍ରିଟେନ୍, ବେଲଜିୟମ, କାନାଡ଼, ଡେନମାର୍କ, ଫ୍ରାନ୍ସ, ଆଇସଲାଣ୍ଡ, ଇଟାଲୀ, ଲକ୍ସେମ୍ବର୍ଗ, ନେଦରଲାଣ୍ଡସ, ନରେଓ୍ଵ ଏବଂ ପର୍ତ୍ତୁଗାଲ ଆଦି ୧୨ଟି ଦେଶ ଏଥିରେ ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି । ୨୦୨୦ରେ ନର୍ଥମାସାଡୋନିଆ ନାଟୋରେ ନୂତନ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା । ଅବଶ୍ୟ ଯେକୌଣସି ୟୁରୋପୀୟ ଦେଶ ଏଥଇରେ ସଦସ୍ୟ ହୋଇ ପାରିବ । ଚୁକ୍ତି ଅନୁସାରେ ଯଦି ବାହାରର କୌଣସି ଦେଶ ସଦସ୍ୟ ରାଷ୍ଟ୍ରଙ୍କ ଭିତରୁ କାହାକୁ ଆକ୍ରମଣ କରେ ତେବେ ନାଟୋ ତାକୁ ସହାୟତା ଦେବ । ଯଦିଓ ଏଥଇରେ କେବଳ ୟୁରୋପୀୟ ଦେଶମାନେ ସାମିଲ ହେବା କଥା ତଥାପି ଅନ୍ୟ କିଛି ଦେଶ ନିଜ ପତିଆରା ବଢ଼ାଇବା ପାଇଁ ଏଥଇରେ ସାମିଲ ହୋଇଛନ୍ତି । ଯେମିତିକି ଆଲଜେରିଆ, ମିସର, ଜୋର୍ଡାନ, ମରକ୍କୋ, ଟ୍ୟୁନିସିଆ ମଧ୍ୟ ନାଟୋର ସହଯୋଗୀ ଭାବେ ଅଛନ୍ତି ।
ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ୍ ଚାହୁଁଛି । ଯାହାକୁ ରୁଷିଆ ତୀବ୍ର ବିରୋଧ କରୁଛି । ତେଣୁ କୁହାଯାଉଛି, ଏହି ଯୁଦ୍ଧର ମୂଳ ହେଉଛି ନାଟୋ । ଯଦିଓ ୟୁକ୍ରେନ୍ ନାଟୋରେ ସାମିଲ ହେବା ପାଇଁ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ନେଇ ନଥିଲା ତଥାପି ରୁଷିଆ ଏହା ଉପରେ ଆକ୍ରମଣ କରିଦେଲା । ଏପଟେ ଆମେରିକା, କାନାଡ଼ା, ବ୍ରିଟେନ୍ ଆଦି ୟୁକ୍ରେନ୍ ସମର୍ଥନରେ ଅଛନ୍ତି । ଯଦି ସମର୍ଥନ କରୁଥିବା ଦେଶ ସବୁ ୟୁକ୍ରେନ୍କୁ ଯୁଦ୍ଧରେ ସହଯୋଗ କରନ୍ତି ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିବା ସମ୍ଭବ ହେବ ନାହିଁ । ତେଣୁ କୂଟନୈତିକ ସ୍ତରରେ ଏବେ ଏହି ଛୋଟିଆ ଯୁଦ୍ଧକୁ ରୋକା ନଗଲେ ତାହା ପରେ ବିଶ୍ୱଯୁଦ୍ଧରେ ପରିଣତ ହେବ । ଯୁଦ୍ଧର ଅର୍ଥ ହେଉଛି କେବଳ ଧ୍ୱଂସଲୀଳା । ଯାହା କେବଳ ସେହି ଦୁଇ ଦେଶ ନୁହେଁ ସାରା ବିଶ୍ୱକୁ ପ୍ରଭାବିତ କରିବ ।