ଏବେ ରାସ୍ତାରେ କେତେ ସ୍ପିଡ୍‌ରେ ଗାଡ଼ି ଚଲାଇବେ ସେ ନେଇ ନିଷ୍ପତ୍ତି ନେବେ ସରକାର, ବଢ଼ିଲେ କଟିବ ଚାଲାଣ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଦେଶରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ସର୍ବାଧିକ ଲିମିଟ୍‌ ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ସୀମା ୨୦ କିଲୋମିଟର ପ୍ରତି ଘଣ୍ଟା ବେଗରୁ ଅଧିକ ହୋଇପାରେ। ତେବେ ବର୍ତ୍ତମାନ ସଡ଼କ ପରିବହନ ମନ୍ତ୍ରାଳୟ କାର ପାଇଁ ଜାତୀୟ ରାଜପଥରେ ସର୍ବାଧିକ ସ୍ପିଡ୍‌ ଘୋଷଣା କରିଛନ୍ତି। କିନ୍ତୁ ଏହା ସବୁ ରାଜ୍ୟରେ ଭିନ୍ନ ଭିନ୍ନ ରହିବ ବୋଲି କୁହାଯାଉଛି।

ବେଳେବେଳେ କମ୍‌ ସ୍ପିଡ୍‌ରେ ଗାଡ଼ି ଚଲାଇଲେ ମଧ୍ୟ ଚାଲାଣ କଟିଥାଏ। ଏନେଇ ବର୍ଷେ ତଳେ ଗଡ଼କରି ଦୁଃଖ ପ୍ରକାଶ କରିଥିଲେ ଓ ସ୍ପିଡ୍‌ ବଢ଼ାଇବାକୁ ତଥା ସମସ୍ତଙ୍କ ସ୍ପିଡ୍‌ ସମାନ କରିବାକୁ ଘୋଷଣା କରିଥିଲେ।

ବର୍ତ୍ତମାନ ହାଇୱେରେ କାରର ସ୍ପିଡ୍‌ ଘଣ୍ଟାକୁ ୧୦୦ କିଲୋମିଟର ଓ ଏକ୍ସପ୍ରେସ୍‌ ୱେରେ ୧୨୦ କିଲୋମିଟର ରହିଛି। ସେହିପରି ଦୁଇଚକିଆ ଯାନ ଓ ଟ୍ରକ ଭଳି ଭାରିଯାନ ପାଇଁ ଏହି ସ୍ପିଡ୍‌ ଭିନ୍ନ ରହିଛି। ବାଇକର ସର୍ବଧିକ ସ୍ପିଡ୍‌ ଘଣ୍ଟାକୁ ୮୦ କିଲୋମିଟର ଥିବା ବେଳେ ବସ୍‌ କିମ୍ବା ଟ୍ରକର ବେଗ ଘଣ୍ଟାକୁ ୧୦୦ କିଲୋମିଟର ରହିଛି।

ମନ୍ତ୍ରାଳୟ ହାଇୱେରେ ଗାଡ଼ିଗୁଡ଼ିକର ସର୍ବାଧିକ ସ୍ପିଡ୍‌ କେତେ ହେବ ତାହା ସ୍ଥିର କରିଛି। କିନ୍ତୁ ରାଜ୍ୟମାନେ ନିଜ ସୀମାରେ ଆସୁଥିବା ରାସ୍ତାରେ ସ୍ପିଡ୍‌ ପରିବର୍ତ୍ତନ କରୁଛନ୍ତି। ଏହା ଦ୍ୱାରା ଜାତୀୟ ରାଜପଥର କେତେକ ଅଂଶରେ ଭିନ୍ନ ଭିନ୍ନ ସ୍ପିଡ୍‌ ରହୁଛି। ଏହାର କୁପ୍ରଭାବ ଡ୍ରାଇଭରଙ୍କ ଉପରେ ପଡ଼ୁଛି। ସେମାନଙ୍କୁ ହାଇୱେରେ କେଉଁ ସ୍ଥାନରେ ଅଧିକ ତ ଆଉ କେଉଁଠି ପୂରା କମ୍‌ ସ୍ପିଡ୍‌ରେ ଗାଡ଼ି ଚଳାଇବାକୁ ପଡ଼ୁଛି। ଏହା ଫଳରେ ଦୁର୍ଘଟଣା ହେବା ଆଶଙ୍କା ବଢ଼ୁଛି। ଏଣୁ ଏହା ଉପରେ ଏବେ କେନ୍ଦ୍ର ସରକାର ବିଚାର କରୁଥିବା କହିଛନ୍ତି। ସମସ୍ତଙ୍କୁ ସୁହାଇବା ଭଳି କିଛି ନିଷ୍ପତ୍ତି ସରକାର ନେବେ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.