ବୋହୂ ଶାଶୁଘରେ ରହିବାକୁ ପୂରାପୂରି ହକ୍‌ଦାର! ଶାଶୁ-ଶ୍ୱଶୁରଙ୍କ ପିଟିସନ ଖାରଜ କରି ଦେଲେ ଦିଲ୍ଲୀ ହାଇକୋର୍ଟ; ଜାଣନ୍ତୁ ପୂରା ମାମଲା…

ଦିଲ୍ଲୀ ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ହିଂସା ଅଧିନିୟମ ଅନୁସାରେ ଜଣେ ମହିଳା ତା’ ଶାଶୁଘରେ ରହିବାକୁ ପୂରାପୂରି ହକ୍‌ଦାର। ଏହି ଅଧିକାର ହିନ୍ଦୁ ବିବାହ ଅଧିନିୟମ ଅଧୀନରେ ଆସୁଥିବା ଯେ କୌଣସି ଅଧିକାରଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହା ବୈବାହିକ ଅଧିକାରର ପୁନରୁଦ୍ଧାର ସହ ଜଡ଼ିତ। ମହିଳା ଶାଶୁଘରେ ରହିବାର ଅଧିକାର ଉପରେ ନିମ୍ନ ଅଦାଲତଙ୍କ ଆଦେଶକୁ ନ୍ୟାୟ ବୋଲି ଦର୍ଶାଇ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ଜଷ୍ଟିସ୍‌ ଚନ୍ଦ୍ରଧାରୀ ସିଂ ଶାଶୁ-ଶ୍ୱଶୁରଙ୍କ ତରଫରୁ ଦାଖଲ ହୋଇଥିବା ଏକ ପିଟିସନକୁ ଖାରଜ କରି ଦେଇଥିଲେ, ଯେଉଁଥିରେ ଅତିରିକ୍ତ ସେସନ ନ୍ୟାୟାଧୀଶଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦିଆଯାଇଥିଲା। ପିଟିସନରେ କୁହାଯାଇଥିଲା କି, ପ୍ରାରମ୍ଭରେ ଶାଶୁଘର ଲୋକଙ୍କ ସହିତ ବୋହୂର ଭଲ ସମ୍ପର୍କ ଥିଲା। କିନ୍ତୁ ଧୀରେ ଧୀରେ ଏହା ବିଗିଡ଼ିବା ଆରମ୍ଭ କରିଥିଲା। ଯେତେବେଳେ ବୋହୂ ତାଙ୍କ ପୁଅ ସହିତ ରହିବା ପାଇଁ ପ୍ରସ୍ତୁତ ନାହିଁ, ତ ତା’ର ଘରେ ରହିବାର କୌଣସି ଅଧିକାର ମଧ୍ୟ ନାହିଁ।

ହାଇକୋର୍ଟ କହିଥିଲେ, ଘରୋଇ ହିଂସା ଅଧିନିୟମ ୨୦୦୫ ଅଧୀନରେ ଘରେ ରହିବାର ଅଧିକାର, ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୯ (ବୈବାହିକ ଅଧିକାରର ପାଳନ) ଅଧୀନରେ ଆସୁଥିବା ଯେ କୌଣସି ଅଧିକାରଠାରୁ ଭିନ୍ନ। ଆବେଦନକାରୀ କହିଥିଲେ କି, ତାଙ୍କ ବୋହୂ ବିବାହ ପରେ ୨୦୧୧ ସେପ୍ଟେମ୍ବରରେ ଶାଶୁଘର ଛାଡ଼ି ଚାଲି ଯାଇଥିଲେ। ତେବେ ଉଭୟ ପକ୍ଷ ପରସ୍ପର ବିରୋଧରେ ୬୦ରୁ ଅଧିକ ଦେଓ୍ଵାନୀ ମାମଲା ଦାଏର କରିଛନ୍ତି। ସେଥିରୁ ବୋହୂ ଘରୋଇ ହିଂସା ଅଧିନିୟମ ୨୦୦୫ ଅଧୀନରେ ଏକ ମାମଲା ଦାଏର କରିଥିଲେ ଏବଂ ସମ୍ପୃକ୍ତ ସମ୍ପତ୍ତିରେ ରହିବାର ଅଧିକାର ଦାବି କରିଥିଲେ।

ଏହି ମାମଲାରେ ନିମ୍ନ ଅଦାଲତ ମହିଳାଙ୍କ ଦାବି ସ୍ୱୀକାର କରି କହିଥିଲେ ଯେ ସେ ଶାଶୁଘରର ପ୍ରଥମ ମହଲାରେ ରହିବାକୁ ହକ୍‌ଦାର। ଏହି ଆଦେଶକୁ ସେସନ କୋର୍ଟ ମଧ୍ୟ ଉଚିତ୍‌ ଦର୍ଶାଇଥିଲେ। ହେଲେ ଶାଶୁ-ଶ୍ୱଶୁର ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠି ସେମାନେ କହିଥିଲେ କି, ବୋହୂ ଏକାଠି ରହିବାକୁ ମନା କରି ଦେଇଛି। କିନ୍ତୁ ଶେଷରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଦମ୍ପତିଙ୍କ ପିଟିସନକୁ ଖାରଜ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.