ମଦ ପିଇବାରୁ ସ୍ୱାମୀକୁ ପିଟି ପିଟି ମାରି ଦେଲା ସ୍ତ୍ରୀ, କହିଲା- ‘ସବୁବେଳେ କେତେ କହିବି, ଥରକରେ ସାରିଦେଲି’

ଝାନ୍ସି: ଉତ୍ତର ପ୍ରଦେଶର ଝାନ୍ସିରେ ସ୍ୱାମୀକୁ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ। ସେ ରୁମ୍ ବନ୍ଦ କରି ପାଖାପାଖି ୧୦ ମିନିଟ୍ ଧରି ସ୍ୱାମୀକୁ ଲାଠିରେ ପିଟିଥିଲା। ଘର ଲୋକ ବାରମ୍ବାର କବାଟ ବାଡ଼େଇଲେ ମଧ୍ୟ ସେ ଖୋଲି ନଥିଲା। ଗାଁ ଲୋକ ଆସି ରାଣ ନିୟମ ପକାଇବାରୁ ସ୍ତ୍ରୀ କବାଟ ଖୋଲିଥିଲା। ଏହା ପରେ ସ୍ତ୍ରୀ ଗୁରୁତର ସ୍ୱାମୀକୁ ଉଠାଇବାକୁ ବି ଦେଇନଥିଲା। ଯେ କୌଣସି ମତେ ଗାଁ ଲୋକ ତାଙ୍କୁ ବୁଝାଇ ସୁଝାଇ ଗୁରୁତର ସ୍ୱାମୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଖବର ପାଇ ପୋଲିସ ପତିହନ୍ତା ସ୍ତ୍ରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
୭ ବର୍ଷ ତଳେ ହୋଇଥିଲା ଉଭୟଙ୍କ ବିବାହ:
ଝାନ୍ସି ଜନପଦର ପୁଞ୍ଛ ଥାନା ଅଞ୍ଚଳର ବାବଇ ଗାଁ ନିବାସୀ ପୁଷ୍ପେନ୍ଦ୍ର ଅହିରବାରଙ୍କ ବିବାହ ପାଖାପାଖି ୭ ବର୍ଷ ତଳେ ଜାଲୌନର ମରଗାୟ ଗାଁ ନିବାସୀ ରମାକାନ୍ତୀଙ୍କ ସହ ହୋଇଥିଲା। ସାନ ଭାଇ ରାଘବେନ୍ଦ୍ର ସାଗରଙ୍କ କହିବାନୁସାରେ, ବଡ଼ ଭାଇ ପୁଷ୍ପେନ୍ଦ୍ର ସବୁବେଳେ ମଦ ପିଉଥିଲେ। ଏ ନେଇ ସ୍ତ୍ରୀଙ୍କ ସହ ତାଙ୍କର ସବୁବେଳେ ଝଗଡ଼ା ହେଉଥିଲା। ବୁଧବାର ରାତି ପ୍ରାୟ ୮ଟା ବେଳେ ପୁଷ୍ପେନ୍ଦ୍ର ମଦ ପିଇ ଘରକୁ ଆସିଥିଲା। ଏନେଇ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।
କବାଟ ଦେଇ ପ୍ରବଳ ପିଟିଥିଲା ସ୍ତ୍ରୀ:
ଘଟଣା ସମୟରେ ସାନଭାଇ ଘରେ ନଥିଲେ। ତାଙ୍କ ପତ୍ନୀ ରିତୁ କିନ୍ତୁ ଘରେ ଥିଲେ। ଏହି ସମୟରେ ରମାକାନ୍ତୀ ଘରର କବାଟ ବନ୍ଦ କରି ମଦୁଆ ସ୍ୱାମୀ ପୁଷ୍ପେନ୍ଦ୍ରଙ୍କୁ ଲାଠିରେ ପ୍ରବଳ ପିଟିବାକୁ ଲାଗିଥିଲେ। ତାଙ୍କ ଚିତ୍କାର ଶୁଣି ଯାଆ ରିତୁ ଗେଟ୍ ଖୋଲିବାକୁ କହିଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ। ଏ ନେଇ ରିତୁ ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ଭାଉଜଙ୍କୁ କବାଟ ଖୋଲିବାକୁ କହିଥିଲେ। ତାଙ୍କ ପାଟି ଶୁଣି ଗାଁ ଲୋକ ବି ଜମା ହୋଇଯାଇଥିଲେ। ପ୍ରାୟ ୧୦ ମିନିଟ୍ ପରେ ଗେଟ୍ ଖୋଲିବାରୁ ପୁଷ୍ପେନ୍ଦ୍ର ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ। ଏହା ପରେ ଘର ଲୋକ ତାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ଗୁରୁବାର ତାଙ୍କ ମୃତ୍ୟୁ ଘଟିଛି।
ପୁଷ୍ପେନ୍ଦ୍ର ବିଏଡ୍ ପଢ଼ୁଥିବା ବେଳେ ରମାକାନ୍ତୀ ବିଏ ପାସ୍ କରିଛନ୍ତି। ପୁଷ୍ପେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଥାନାରେ କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା। ସ୍ୱାମୀ ସବୁ ଦିନ ମଦ ପିଇ ଆସୁଥିବାରୁ ସେ ରାଗରେ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି। ତେବେ ଏହି ଘଟଣା ବିଷୟରେ ଶୁଣି ଗାଁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
Also Read: ବାହାଘର ପାଇଁ ଯାଉଥିବା ବେଳେ ଖୁଣ୍ଟରେ ପିଟି ହେଲା କାର, ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ