ସ୍ୱାମୀ ଅସୁନ୍ଦରୀ ଓ କାଳୀ କହିବାରୁ ରାଗିଗଲା ସ୍ତ୍ରୀ, କୁରାଢ଼ୀରେ କରିଦେଲା ଦୁଇଗଡ଼! ପୋଲିସକୁ ବଖାଣିଲା କାହାଣୀ…

ଆମ ଚାରିପାଖରେ ଅନେକ ଅପରାଧ ଘଟଣା ଘଟୁଛି। ନିଜ ଲୋକ ହିଁ ନିଜର ଶତ୍ରୁ ପାଲଟୁଛନ୍ତି। କିଛି ବୁଝିବା ଆଗରୁ ଉଜୁଡ଼ି ଯାଉଛି ସଂସାର। ଏବେ ଏମିତି ହିଁ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଏଠାରେ ଜଣେ ସ୍ତ୍ରୀ, ନିଜ ସ୍ୱାମୀକୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି ନେଇଛି। ପୋଲିସ ସୂଚନା ମୁତାବକ, ସ୍ୱାମୀ ଜଣକ ସ୍ତ୍ରୀକୁ ଅସୁନ୍ଦରୀ ଓ କାଳୀ କହିବାରୁ ସ୍ତ୍ରୀ ଏଥିରେ ରାଗି ଯାଇଥିଲେ, ଯାହାଫଳରେ ସେ ସ୍ୱାମୀକୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ। ମୃତ ସ୍ୱାମୀ ହେଲେ ଅନନ୍ତ ସୋନବାନୀ (୪୦) ଓ ଅଭିଯୁକ୍ତ ସ୍ତ୍ରୀ ହେଲେ ସଙ୍ଗୀତା ସୋନବାନୀ (୩୦)।

ପୋଲିସ କହିଛି, ସଙ୍ଗୀତା ସୂଚନା ଦେଇ କହିଥିଲେ କି, କେହି ଜଣେ ଅଜଣା ଦୁର୍ବୃତ୍ତ ତାଙ୍କ ସ୍ୱାମୀ ଅନନ୍ତଙ୍କୁ ହତ୍ୟା କରିଛି। ଖବର ପାଇ ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ପୋଲିସ ଅଧିକାରୀଙ୍କ କହିବା ହେଲା, ଅନନ୍ତଙ୍କ ମୃତ ଶରୀର ଉପରେ ଧାରୁଆ ଅସ୍ତ୍ରରେ କ୍ଷତ ଚିହ୍ନ ରହିଥିଲା। ଏଥିସହ ତାଙ୍କ ଗୁପ୍ତାଙ୍ଗ ମଧ୍ୟ କଟା ହୋଇଥିଲା।

ତେବେ ପୋଲିସ ଯେତେ ବେଳେ ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା, ତ ସେହି ସମୟରେ ସଙ୍ଗୀତାଙ୍କୁ ମଧ୍ୟ ପଚରାଉଚରା କରିଥିଲା। ପ୍ରଥମେ ସେ ପୋଲିସକୁ ଭୁଅାଁ ବୁଲାଉଥିଲେ, କିନ୍ତୁ ପରେ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ପୋଲିସ ଅଧିକାରୀଙ୍କ ମୁତାବକ, ସଙ୍ଗୀତା କହିଥିଲେ ଯେ ଗତ ରବିବାର ରାତିରେ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। କଳି, ଝଗଡ଼ା ବେଳେ ଅନନ୍ତ, ସଙ୍ଗୀତାଙ୍କୁ ଅସୁନ୍ଦରୀ ଓ କାଳୀ ବୋଲି କହିଥିଲେ, ଯାହାକୁ ଶୁଣି ସଙ୍ଗୀତା ଅଧିକ ରାଗି ଯାଇଥିଲେ ଏବଂ ଘରେ ପଡ଼ିଥିବା କୁରାଢ଼ୀରେ ଅନନ୍ତଙ୍କୁ ହାଣି ହତ୍ୟା କରିଥିଲେ। ଏପରି କି, ସେ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟି ପକାଇଥିଲେ।

ପୋଲିସ କହିଛି, ଏଭଳି ନାରକୀୟ କାଣ୍ଡ ଘଟାଇବା ପରେ ସଙ୍ଗୀତା ଘରେ ହିଁ ରହିଥିଲେ ଏବଂ ସକାଳୁ ସକାଳୁ ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ। ସଙ୍ଗୀତା କହିଥିଲେ କି, କେହି ଜଣେ ତାଙ୍କ ସ୍ୱାମୀଙ୍କୁ ମାରି ଦେଇଛି। ହେଲେ ପୋଲିସର ପଚରା ଉଚରା ସମୟରେ ତାଙ୍କ ଅପରାଧ ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ମୁତାବକ, ଅନନ୍ତଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ସଙ୍ଗୀତାଙ୍କୁ ଗିରଫ କରିଛି। ସଙ୍ଗୀତା, ଅନନ୍ତଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡ଼ିଛି। ଅନନ୍ତଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି। ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଅନନ୍ତଙ୍କର ୧୨ ବର୍ଷର ଏକ ପୁଅ ଥିବା ବେଳେ ସଙ୍ଗୀତାଙ୍କଠାରୁ ୪ ମାସର ଏକ କନ୍ୟା ସନ୍ତାନ ରହିଛି। ସେପଟେ ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.