ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରି ଡ୍ରମରେ ରଖିଦେଲା ପତ୍ନୀ, କେହି ଜାଣିବେନି ବୋଲି କରିଥିଲା ସିମେଣ୍ଟ ପ୍ଲାଷ୍ଟର

ଉତ୍ତରପ୍ରଦେଶ ମେରଟର ଏକ ଘରୁ ପ୍ଲାଷ୍ଟିକ୍ ଡ୍ରମରୁ ମିଳିଛି ଯୁବକଙ୍କ ମୃତଦେହ । ଖବର ମିଳିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ଜଣକ ହେଲେ ସୌରଭ ରାଜପୁତ । ମୃତକ ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି କରୁଥିଲେ । ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ବଏଫ୍ରେଣ୍ଡଙ୍କର ହାତ ପୋଲିସ ସନ୍ଦେହ କରୁଛି । ପୋଲିସ ଏମାନଙ୍କୁ ଗିରଫ କରିଛି ।

ଖବର ମୁତାବକ, ଉତ୍ତରପ୍ରଦେଶ ମେରଟର ବ୍ରହ୍ମପୁରୀ ନିକଟସ୍ଥ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ପ୍ରେମ ବିବାହ କରିଥିଲେ । ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ଧରି ଇନ୍ଦିରାନଗରରେ ଦୁହେଁ ରହୁଥିଲେ ।

ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମେରଟ ଆସିଥିଲେ । ତାଙ୍କ ପତ୍ନୀ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ବୁଲିବାକୁ ହିମାଚଳ ପ୍ରଦେଶ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ ସେ ଘରର ଗେଟରେ ତାଲି ପକାଇଦେଇଥିଲେ । ଏହାପରେ କେହି ବି ଦୁହିଁଙ୍କୁ ଦେଖିନଥିଲେ । ଦୀର୍ଘଦିନ ଧରି କେହି ନ ଦେଖିବାକୁ ସନ୍ଦେହ ଜାତ ହୋଇଥିଲା ।  ସୌରଭଙ୍କ ପତ୍ନୀ କିଭଳି ତାଙ୍କ ବଏଫ୍ରେଣ୍ଡ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି, ତାହା ବିଷୟରେ ମା’ଙ୍କୁ ଜଣାଇଥିଲେ । ମୁସ୍କାନଙ୍କ ମା’ ଏସବୁ ଜାଣିବା ପରେ ତୁରନ୍ତ ପୋଲିସ ନିକଟକୁ ଯାଇଥିଲେ ଏବଂ ପୋଲିସକୁ ସବୁ କଥା କହିଥିଲେ ।

ଏହାପରେ ପୋଲିସ ମୁସ୍କାନଙ୍କୁ ଗିରଫ କରି ପୋଲିସ ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପତ୍ନୀ ମୁସ୍କାନ ବଏଫ୍ରେଣ୍ଡ ସହିତ ମିଶି ସ୍ବାମୀକୁ ହତ୍ୟା କରିବା ପରେ ମ୍‌ତଦେହକୁ ଏକ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଘୋଳ ପ୍ରସ୍ତୁତ କରି ସିଲ୍ କରିଦେଇଥିଲା ।

ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି ।  ଗିରଫ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି । କେମିତି ସୌରଭକୁ ମାରିଥିଲେ, ମ୍‌ତଦେହକୁ କେମିତି ରଖିଥିଲେ ସବୁକିଛି ପୋଲିସ ଆଗରେ ମାନିଛନ୍ତି ।

Also Read : ସୁନୀତା ପୃଥିବୀ ପୃଷ୍ଠକୁ ଫେରିବା ନେଇ ଖୁସିରେ ନାଚିଲେ ଡଲଫିନ୍, ଡ୍ରାଗନ୍ କ୍ୟାପସୁଲ୍ ଚାରିପଟେ ଘୁରିବୁଲିଲେ : ଭିଡିଓ…