ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ ହାତୀଟି ପଶିଆସିଥିଲା । ପାଖାପାଖି ୨ ଘଣ୍ଟା ଧରି ଏହା ଝାଡ଼ଖଣ୍ଡ ବିଧାନସଭା ଆଖପାଖରେ ବୁଲିଥିଲା । ହାତୀଟି ଜନବସତି ଭିତରକୁ ପଶିଆସିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ କୌଣସି ବି ପ୍ରକାରେ ସାଇରନ୍‌ ବଜାଇ ଏବଂ ବାଣ ଫୁଟାଇ ତାକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲା ।

ବନ ବିଭାଗ ଅନୁସାରେ, ଶନିବାର ରାତିରେ ହାତୀଟି ଦଳରୁ କୌଣସି ମତେ ଅଲଗା ହୋଇଯାଇଥିଲା । ଏହା ଦଳ ଛଡ଼ା ହୋଇ ରାଞ୍ଚି ସହର ଭିତରକୁ ପଶିଆସିଥିଲା । ହାତୀକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଲୋକଙ୍କ ସହ ମିଶି ପୋଲିସ ସାଇରନ୍‌ ବଜାଇ ଏବଂ ବାଣ ଫୁଟାଇ ହାତୀଟିକୁ ପୁଣିଥରେ ଜଙ୍ଗଲ ଆଡ଼କୁ ଭଗାଇ ଦେଇଥିଲା ।

ତେବେ ଅଧିକ ରାତି ଏବଂ ରାସ୍ତାଘାଟ ଶୂନଶାନ ଥିବାରୁ ହାତୀଟି କାହାର କୌଣସି କ୍ଷତି କରି ନ ଥିଲା । ସ୍ଥାନୀୟ ଲୋକମାନେ ଧୌର୍ଯ୍ୟର ସହିତ ହାତୀଟିକୁ ଜଙ୍ଗଲ ପଠାଇବାରେ ସାହାଯ୍ୟ କରିଥିଲେ । ପରିବେଶ ବିଶେଷଜ୍ଞଙ୍କ କହିବା ହେଲା, ଘନ ଘନ ଜଙ୍ଗଲ କାଟ ହେଉଥିବାରୁ ହାତୀମାନେ ଜନବସତି ମୁହାଁ ହେଉଛନ୍ତି ।

ବିଧାନସଭା ଥାନା ଅଧିକାରୀ ପ୍ରଦୀପ କହିଛନ୍ତି ଯେ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଆମକୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା । ଏକ ଜଙ୍ଗଲି ହାତୀ ବିଧାନସଭା ନିକଟ କ୍ଷେତକୁ ପଶିଆସିଥିଲା । ପ୍ରଥମେ ସାଇରନ୍‌ ବଜାଇ ହାତୀ ଘଉଡ଼ାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ହାତୀଟି ଯାଇ ନ ଥିଲା । ପରେ ବାଣ ଫୁଟାଇ ହାତୀ ଘଉଡ଼ା ଯାଇଥିଲା । ତେବେ ଏ ନେଇ ସୂଚନା ମିଳିବା ପରେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଏବଂ ହାତୀଠାରୁ ଦୂରେଇ ରହିବାକୁ କୁହାଯାଇଥିଲା । ସକାଳ ହେବା ସୁଦ୍ଧା ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଥିଲା ।

You might also like