ଆମେରିକାରେ ୧୮ରୁ କମ୍‌ ବୟସର ପିଲାଙ୍କୁ ଦିଆଯିବ ଭାରତୀୟ ଟିକା କୋଭାକ୍ସିନ୍‌! ମଗାଗଲା ଅନୁମତି

ଆମେରିକୀୟ ଫାର୍ମା କମ୍ପାନୀ ‘ଓକ୍ୟୁଜେନ (Ocugen)’ ଶୁକ୍ରବାର ଘୋଷଣା କରିଛି କି, କମ୍ପାନୀ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ନିର୍ମିତ କୋଭିଡ୍‌ ଭ୍ୟାକ୍ସିନ୍‌ ‘କୋଭାକ୍ସିନ୍‌’ର ଜରୁରିକାଳୀନ ଉପଯୋଗ ନିମନ୍ତେ ଆମେରିକୀୟ ପ୍ରାଧିକରଣଠାରୁ ଅନୁମତି ମାଗିଛି। ଏହି ଭ୍ୟାକ୍ସିନ୍‌କୁ ଭାରତ ବାୟୋଟେକ ବିକଶିତ କରିଛି। କିନ୍ତୁ ଏମିତି ହୋଇପାରେ କି, କମ୍ପାନୀର ଅନୁରୋଧକୁ ସ୍ୱୀକାର କରିବା ପାଇଁ Food and Drug Administration (FDA) ବିଭାଗ ଏହାର ଡାଟାକୁ ପର୍ଯ୍ୟାପ୍ତ ମାନି ନ ପାରେ। ଏହି ତଥ୍ୟ ଆମେରିକା ବାହାରର ପିଲାମାନଙ୍କର ଏକ ଛୋଟିଆ ଗୋଷ୍ଠୀ ଉପରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲରୁ ଏକତ୍ରିତ ହୋଇଛି।

ଓକ୍ୟୁଜେନର ଅଂଶୀଦାର ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ୍‌କୁ ଭାରତରେ ବିକଶିତ କରାଯାଇଛି। ଏହି ଭ୍ୟାକ୍ସିନ୍‌କୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଜରୁରିକାଳୀନ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱର ୧୭ ଦେଶରେ ପୂର୍ବରୁ ହିଁ ଏହାର ଉପଯୋଗ ଲାଗି ମଞ୍ଜୁରି ମିଳି ସାରିଛି। ଯୁକ୍ତରାଷ୍ଟ୍ର ଆମେରିକା ବାହାରେ ବୟସ୍କମାନଙ୍କୁ, ବିଶେଷ କରି ଭାରତରେ ଏହି ଭ୍ୟାକ୍ସିନ୍‌ର ଲକ୍ଷାଧିକ ଡୋଜ୍‌ ଦିଆଯାଇ ସାରିଛି। ଏହି ଟିକାକରଣରେ ନିଷ୍କ୍ରିୟ ଭାଇରସ୍‌ ଟେକ୍ନୋଲୋଜିର ଉପଯୋଗ କରାଯାଇଛି, ଯାହା ପୋଲିଓ ବୁନ୍ଦା ସମେତ ପିଲାଦିନର ଅନ୍ୟାନ୍ୟ ଟିକା ମଧ୍ୟରେ ସାଧାରଣ। ଆମେରିକୀୟ କମ୍ପାନୀର ଏହି ଅନୁରୋଧ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ୫୨୬ ପିଲାଙ୍କ ଉପରେ କରାଯାଇଥିବା ଅଧ୍ୟୟନର ପରିଣାମ ଉପରେ ଆଧାରିତ। ଏହି ପିଲାମାନେ ୨୮ ଦିନର ଅନ୍ତରାଳରେ କୋଭାକ୍ସିନ୍‌ର ଦୁଇଟି ଡୋଜ୍‌ ପ୍ରାପ୍ତ କରିଛନ୍ତି। କମ୍ପାନୀ କହିଛି ଯେ ଏହି ଅନୁସନ୍ଧାନର ତୁଳନା ଭାରତରେ ୨୫,୮୦୦ ବୟସ୍କ ଗୋଷ୍ଠୀଙ୍କ ସହିତ କରାଯାଇଛି। ଏଥିରେ କୁହାଯାଇଛି କି, ୨ରୁ ୧୮ ବର୍ଷ ବୟସର ପିଲା ଏବଂ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସମାନ ସୁରକ୍ଷା ପ୍ରଦର୍ଶିତ ହୋଇଛି।

ସୂଚନାଥାଉ କି, WHO ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭାକ୍ସିନକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ପୂର୍ବରୁ WHO ମାଗିଥିବା ଅତିରିକ୍ତ ତଥ୍ୟ ଭାରତ ବାୟୋଟେକ ଦାଖଲ କରିଥିଲା। ଅକ୍ଟୋବର ୨୬ରେ WHO ବୈଷୟିକ କମିଟି ବୈଠକ ପରେ ଭାରତ ବାୟୋଟେକକୁ ଅଧିକ ଡାଟା ମାଗିଥିଲା। କହି ରଖୁଛୁ, କୋଭାକ୍ସିନକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରିବା ପାଇଁ WHO ନିକଟରେ ଭାରତ ବାୟୋଟେକ ଆବେଦନ କରିଥିଲା। ଏଥିପାଇଁ WHO ମାଗିଥିବା ସମସ୍ତ ତଥ୍ୟ ବାୟୋଟେକ ପର୍ଯ୍ୟାୟ କ୍ରମେ ଦାଖଲ କରିଥିଲା। କୋଭାକ୍ସିନକୁ WHO ମାନ୍ୟତା ମିଳିବା ପରେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିଛି।

Leave A Reply

Your email address will not be published.