ପାକିସ୍ତାନ ଯିବାର ଶେଷ ତାରିଖ ସରିଯାଇଛି, ହେଲେ ସୀମା ହାଇଦର ପାକିସ୍ତାନ ଫେରିନାହାନ୍ତି କାହିଁକି?

କଣ ହେବ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଭାଗ୍ୟ ? ପାକିସ୍ତାନ ଫେରିବେ ନା ଭାରତରେ ରହିବେ ? ୨୦୨୩ରେ ପାକିସ୍ତାନରୁ ଆସି ଭାରତୀୟ ପ୍ରେମିକ ସଚିନ ମିନାଙ୍କୁ ବିବାହ କରିଥିଲେ । ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଆଣ୍ଟି ଟେରରିଜିମ ସ୍କ୍ବାଡ୍ – ATS ତଦନ୍ତ କରୁଛି । ଏହା ଭିତରେ ସୀମାଙ୍କ ଓକିଲ କହିଛନ୍ତି, ସୀମାଙ୍କର ପାକିସ୍ତାନ ସହ ଆଉ କୌଣସି ଲିଙ୍କ୍ ନାହିଁ । ସେ ତାଙ୍କ ଧର୍ମ ପରିବର୍ତ୍ତନ କରି ସନାତନ ଧର୍ମ ଗ୍ରହଣ କରିଛନ୍ତି । ଆଉ ସନାତନ ରୀତିନୀତିରେ ସଚିନଙ୍କ ବିବାହ କରିଛନ୍ତି । ଭାରତରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଭାରତକୁ ସୀମା ଆସିବା ପରେ କୁଆଡେ ଯାଇନାହାନ୍ତି ବୋଲି ତାଙ୍କ ଓକିଲ ଏପି ସିଂ କହିଛନ୍ତି ।
ଏପଟେ ଭାରତ ସରକାରଙ୍କ ପହଲଗାମ ଆକ୍ସନ ପରେ ସୀମାଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୀମା କହିଛନ୍ତି, ସେ ପାକିସ୍ତାନ ଯିବାକୁ ଚାହୁଁ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ଭାରତରେ ରହିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରୁଛନ୍ତି । ସେ ପାକିସ୍ତାନର ଝିଅ ଥିଲେ । କିନ୍ତୁ ଏବେ ଭାରତର ବୋହୂ । ଦୟା କରି ତାଙ୍କୁ ଏଠାରେ ରହିବାକୁ ଦିଆଯାଉ ବୋଲି ସେ କହିଛନ୍ତି । ଏହାସହିତ ସୀମା ଦାବି କରିଛନ୍ତି ଯେ, ସେ ସଚିନ ମୀନାଙ୍କୁ ବିବାହ କରିବା ପୂର୍ବରୁ ଇସଲାମ ଧର୍ମରେ ରହିଥିଲେ, କିନ୍ତୁ ସଚିନଙ୍କୁ ବାହା ହୋଇ ସେ ହିନ୍ଦୁ ଧର୍ମ ଗ୍ରହଣ କରିସାରିଛନ୍ତି ।
ତେବେ ଦେଶବ୍ୟାପୀ ପାକିସ୍ତାନ ବିରୋଧରେ ଆକ୍ରୋଶ ରହିଥିବା ବେଳେ ସୀମାଙ୍କ ଓକିଲ ଆଶା ରଖିଛନ୍ତି ଯେ, ସୀମାଙ୍କୁ ଭାରତରେ ରହିବା ପାଇଁ ଅନୁମତି ମିଳିବ । ସେ କହିଛନ୍ତି, ସୀମା ଆଉ ପାକିସ୍ତାନର ନାଗରିକ ନୁହନ୍ତି । ସେ ଗ୍ରେଟର ନୋଏଡାର ସଚିନଙ୍କୁ ବିବାହ କରିବା ପରେ ନିକଟରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ତାଙ୍କ ନାଗରିକତା ଏବେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ଯୋଡ଼ି ହୋଇଯାଇଛି । ତେଣୁ ସରକାର ଏବେ ପାକିସ୍ତାନୀ ନାଗରିକଙ୍କୁ ଦେଇଥିବା ନିର୍ଦ୍ଦେଶ ସୀମାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ ।
ସୀମା ୨୦୨୩ ମସିହା ମେ ମାସରେ କରାଚି ସ୍ଥିତ ଘର ଛାଡ଼ିଥିଲେ । ଏହାପରେ ନେପାଳ ଦେଇ ଭାରତକୁ ଆସିଥିଲେ । ଜୁଲାଇ ମାସରେ ତାଙ୍କୁ ସଚିନ ମୀନାଙ୍କ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୌତମ ବୁଦ୍ଧ ନଗରର ଜିଲ୍ଲାର ରାବୁପୁରା ଘରୁ ଠାବ କରିଥିଲା ପ୍ରଶାସନ । ଏହାପରେ ସେ ଭାରତରେ ରହିବା ପାଇଁ ଆଇନର ଆଶ୍ରୟ ନେଇଛନ୍ତି । ୨୦୧୯ରେ ଅନଲାଇନ ଗେମ ଖେଳିବା ବେଳେ ସଚିନ ଓ ସୀମା ପରସ୍ପରର ଯୋଗାଯୋଗରେ ଆସିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ୨୦୨୩ରେ ସୀମା ନିଜ ପ୍ରେମିକଙ୍କୁ ପାଇବା ପାଇଁ ଭାରତ ଚାଲି ଆସିଥିଲେ ।
ଏପଟେ ସୂଚନା ଥାଉକି, ପହଲଗାମ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି । ପାକିସ୍ତାନକୁ ଦୃଢ଼ ଜବାବ ଦେବାକୁ ଯାଇ ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ପକ୍ଷରୁ ମିଳିଥିବା ଭିସାକୁ ରଦ୍ଦ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା କି, ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ଭିସା ଏପ୍ରିଲ ୨୭ରେ ରଦ୍ଦ ହେବ । ମେଡିକାଲ ଭିସାର ଅବଧି ଏପ୍ରିଲ ୨୯ ଯାଏ ରହିବ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତରେ ରହିଥିବା ପାକିସ୍ତାନୀଙ୍କୁ ସ୍ୱଦେଶ ଫେରିଯିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା ।
ତେବେ ପାକିସ୍ତାନ ଯିବାର ଶେଷ ତାରିଖ ସରିଯାଇଛି, ହେଲେ ସୀମା ହାଇଦର ପାକିସ୍ତାନ ଫେରିନାହାନ୍ତି । ତେବେ ଯାହା କୁହାଯାଇଛି କି, ସରକାରଙ୍କ ଦ୍ୱାରା ଜାରି ନିୟମ ଅନୁଯାୟୀ, ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଥିବା ୧୪ ଟି କାଟାଗୋରୀ ଭିତରେ ଥିବା ଭିସା ମାଧ୍ୟମରେ ଭାରତ ଆସିଥିବା ଲୋକମାନଙ୍କୁ ଫେରିବାକୁ ପଡିଛି । ସୀମା ହାଇଦର ଏହି ବର୍ଗରେ ଆସୁନାହାଁନ୍ତି । କାରଣ ସେ ଭିସା ମାଧ୍ୟମରେ ଭାରତ ଆସି ନଥିଲେ । ସେ ବେଆଇନ ଭାବରେ ସୀମା ପାର କରି ଭାରତ ଆସିଥିଲେ । ଏହାକୁ ସରଳ ଭାଷାରେ ବୁଝାଯାଇପାରେ ଯେ ଯେଉଁମାନେ ଆଇନଗତ ଭାବରେ ଭାରତ ଆସିଥିଲେ ସେମାନେ ଫେରି ଯାଇଛନ୍ତି କିନ୍ତୁ ଭାରତୀୟ ସୀମା ପାର କରି ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିବା ସୀମା ହାଇଦର ଏଠାରେ ରହିଛନ୍ତି ।
ଆହୁରି ପଢନ୍ତୁ: କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି