ଉତ୍ତର ପ୍ରଦେଶରେ ଗଧିଆ ଆତଙ୍କ । ଲୋକଙ୍କ ନିଦ ହଜାଇଥିଲା । ଦିନ ଦ୍ୱିପହରେ ଛୋଟ ଛୋଟ ଶିଶୁଙ୍କୁ ଝାମ୍ପି ନେଉଥିଲା । ଗତ ୪୫ ଦିନ ଭିତରେ ୯ ଜଣଙ୍କୁ ମାରି ସାରିଥିଲା ଗଧିଆ । ୮ ଜଣ ଶିଶୁ ଓ ଜଣେ ମହିଳାଙ୍କୁ ମାରି ଦେଇଛି ଗଧିଆ । ବିଶେଷ କରି ବାହାରାଇଚ୍ ଜିଲ୍ଲାର ମାସି ସବ-ଡିଭିଜନ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ଗଧିଆ ।
ଗଧିଆ ଆକ୍ରମଣରେ ୮ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ଅନେକ ଶିଶୁ ଆହତ ହୋଇଛନ୍ତି । ବନ ବିଭାଗ କର୍ମଚାରୀଙ୍କ ନିଦ ହଜାଇ ଦେଲାଣି ଗଧିଆ । ରାତି ଦିନ ଏକ କରି ଗଧିଆଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ପ୍ରୟାସ କରୁଛନ୍ତି । ହାତୀ ମଳ ଓ ମୂତ୍ର ବ୍ୟବହାର କରୁଛନ୍ତି ।
ତେବେ ଗଧିଆକୁ ଧରିବା ପାଇଁ ଉତ୍ତର ପ୍ରଦେଶ ସରକାର ‘ଅପରେସନ ଭେଡିଆ’ ଆରମ୍ଭ କରିଛନ୍ତି । ଡ୍ରୋନ୍ କ୍ୟାମେରା ଏବଂ ଥର୍ମାଲ ଡ୍ରୋନ୍ ମ୍ୟାପିଂ କୌଶଳ ବ୍ୟବହାର କରାଯାଉଛି । ତଥାପି ଗଧିଆ ଆତଙ୍କ ନିୟନ୍ତ୍ରଣକୁ ଆସୁ ନାହିଁ । ସ୍ଥାନୀୟ ଲୋକଙ୍କୁ ରାତିରେ ନିଦ ହେଉ ନାହିଁ । ରାତିରେ ଠେଙ୍ଗା ବାଡ଼ି ଧରି ଜଗୁଛନ୍ତି ଲୋକେ । ଏନେଇ ବନ ବିଭାଗ ଯନ୍ତାରେ ଧରାପଡ଼ିଛି ଗୋଟିଏ ଗଧିଆ ।
ସୂଚନାଯୋଗ୍ୟ ଯେ, ବାହରାଇଚର ମହସି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଚାରିଟି ଗଧିଆ ମଧ୍ୟରୁ ଗୋଟିଏ ଗଧିଆ ବନବିଭାଗ ଟିମ୍ ଦ୍ୱାରା ଧରାପଡିଛି । ଗଧିଆ ଧରିବା ପାଇଁ ବନ ବିଭାଗର ୧୫ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଗଧିଆ ପାଇଁ ପ୍ରାୟ ୩୦ଟି ଗାଁର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ତେବେ ଡିଏଫଓ ଆକାଶଦୀପ କହିଛନ୍ତି ଯେ, ଗଧିଆ ଏକ ସାମାଜିକ ପଶୁ । ସାଧାରଣତଃ ସେମାନେ ମଣିଷଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସେମାନେ କେବଳ ଗୋଷ୍ଠୀରେ ରୁହନ୍ତି । ମହସି ଅଞ୍ଚଳରେ ଏକ ଛୋଟିଆ ପିଲାକୁ ଗଧିଆ ସହଜରେ ଶିକାର କରି ଏହାକୁ ଭୋଜନ କଲା । ଅନ୍ୟ ଗଧିଆ ମାନେ ସେହି ମାଂସ ଖାଇଲେ । ତାଙ୍କ ପାଟିରେ ମଣିଷ ମାଂସର ସ୍ୱାଦ ଲାଗିଲା, ଯାହା ପରେ ଅନ୍ୟ ଗଧିଆମାନେ ମଧ୍ୟ ସେହି ପଥ ଅନୁସରଣ କଲେ । ଏହା ପରେ ତାଙ୍କର ପ୍ରବୃତ୍ତି ନରଭକ୍ଷୀ ହୋଇଗଲା । ସେମାନେ ଏବେ ମଣିଷ, ବିଶେଷକରି ପିଲାମାନଙ୍କୁ ଖୋଜୁଛନ୍ତି । ଗଧିଆ କୁକୁର ପରିବାରର ଏକ ପଶୁ । ସେମାନଙ୍କର ଗନ୍ଧ ଏବଂ ଜାଗ୍ରତ ହେବାର ଅଭ୍ୟାସ ଅତ୍ୟନ୍ତ ତୀକ୍ଷ୍ଣ ।