ପକ୍ଷାଘାତର ଶିକାର ହୋଇ ହସପିଟାଲ ଆଡମିଟ୍‌ ହୋଇଥିଲେ ମହିଳା, ହେଲେ ଆଇସିୟୁରେ ଆଖି ଖାଇଗଲା ମୂଷା

ମୂଷା ଘରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ହେଉ କିମ୍ବା ଖାଦ୍ୟଶସ୍ୟ ଖାଉଥିବା ଆପଣ ନିଶ୍ଚିତ ଜାଣିଥିବେ। କିନ୍ତୁ କେବେ କୌଣସି ଲୋକର ଆଖିପତା ଖାଇଥିବା ଘଟଣା ହୁଏତ ଆପଣ ପ୍ରଥମ ଥର ଶୁଣିଥିବେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏପରି ଘଟଣା ରାଜସ୍ଥାନର କୋଟାରେ ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ମୁଣ୍ଡରେ ନିଶ୍ଚିତ ହାତ ଦେବେ। ଏଠାରେ ଜଣେ ମହିଳା ପକ୍ଷାଘାତର ଶିକାର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏଠାରେ ମହିଳାଙ୍କ ଆଖିପତାକୁ ମୂଷାମାନେ ଖାଇଦେଇଛନ୍ତି। ଯାହାକୁ ନେଇ ଏବେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ରାଜସ୍ଥାନର କୋଟା ରେଲେଓ୍ଵ କଲୋନୀରେ ରହୁଥିବା ଦେବେନ୍ଦ୍ର ସିଂହ ଭାଟୀଙ୍କ ପତ୍ନୀ ପକ୍ଷାଘାତର ଶିକାର ହୋଇ କୋଟାର ଏମବିଏସ ହସପିଟାଲରେ ଭର୍ତ୍ତି ହୋଇଥିଲେ। ମହିଳା ଜଣକ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ମୂଷା ତାଙ୍କ ଆଖି ପତାକୁ ଖାଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି।

ଏହି ଘଟଣାରେ ହସପିଟାଲର କର୍ତ୍ତୃପକ୍ଷ ଯାଞ୍ଚ ପାଇଁ ତିନି ଜଣିଆ କମିଟି ପ୍ରସ୍ତୁତ ହୋଇଛନ୍ତି। ଘଟଣା ପରେ ହସପିଟାଲର ଅଧୀକ୍ଷକ କୋଟାର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ହସପିଟାଲ ଆଇସିୟୁରେ ପଡିଥିବା ମହିଳା ରୂପବତୀଙ୍କ ଆଖିପତାକୁ ୩ଟି ମୂଷା ଖାଇଦେଇଛନ୍ତି। କିନ୍ତୁ ଆଖିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନାହାନ୍ତି ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି।

ମହିଳା ଜଣକ ପାଖାପାଖି ୪୫ ଦିନ ହେଲାଣି ଏଠାରେ ଆଡମିଟ୍‌ ହୋଇଛନ୍ତି। ମୂଷା ମହିଳାଙ୍କ ଆଖି ପତାକୁ ଦୁଇ ଖଣ୍ଡ କରିଦେଇଛନ୍ତି। ତାଙ୍କ ଆଖରୁ ରକ୍ତ ବାହାରୁଥିବା ଦେଖି ସ୍ୱାମୀ ଡାକ୍ତରଙ୍କୁ ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ଲୋକେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅଙ୍ଗୁଳି ଦେଖାଇଛନ୍ତି।

ହସପିଟାଲର ସୁପରିଟେଣ୍ଡେଣ୍ଟ ଘଟଣାର ଯାଞ୍ଚ କରୁଛନ୍ତି। ତାଙ୍କ କହିବା ମୁତାବକ, ହସପିଟାଲରେ ପ୍ରତିମାସରେ ପେଷ୍ଟିସାଇଟ୍‌ କଣ୍ଟ୍ରୋଲ କରାଯାଏ। ଆଉ ଯଦି ଏପରି କିଛି ହୋଇଛି, ତେବେ ହସପିଟାଲ କର୍ମଚାରୀ ଦାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.