ପ୍ରେମର ଅଜବ ଖେଳ! ସ୍ୱାମୀ ଓ ପ୍ରଥମ ପ୍ରେମିକ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଯୋଜନାବଦ୍ଧ ହତ୍ୟା କଲେ ମହିଳା, ଗିରଫ ଭୟରେ ଆତ୍ମହତ୍ୟା କରି ଦେଲା ସ୍ୱାମୀ

ଉତ୍ତର ପ୍ରଦେଶର ମେରଠରେ ଏକ ଅଜବ ପ୍ରେମ କାହାଣୀର ଖୁଲାସା ହୋଇଛି। ପୋଲିସ ସୂଚନା ଅନୁସାରେ, ଏଠାରେ ଜଣେ ମହିଳା ନିଜ ସ୍ୱାମୀ ଓ ପ୍ରଥମ ପ୍ରେମିକ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଯୋଜନାବଦ୍ଧ ହତ୍ୟା କରିଛନ୍ତି, ଯାହାକୁ ନେଇ ଖୋଦ୍‌ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି। ପୋଲିସ ଏଠାରେ ଅଜୟ ନାମକ ବ୍ୟକ୍ତିଙ୍କ ନିଖୋଜ ମାମଲାର ତଦନ୍ତ କରୁଥିଲା। ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲା କି, ଅଜୟଙ୍କର ଜଣେ ମହିଳାଙ୍କ ସହିତ ସମ୍ବନ୍ଧ ଥିଲା। ଆଉ ଯେତେବେଳେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଧରି ପଚରାଉଚରା କରିଥିଲା, ତ ସେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।

ପୋଲିସ ମୁତାବକ, ମହିଳା ଜଣକ ସ୍ୱୀକାର କରିଛନ୍ତି କି, ସେ ନିଜ ସ୍ୱାମୀ ଓ ପ୍ରେମିକଙ୍କ ସହ ମିଶି ଅଜୟଙ୍କୁ ହତ୍ୟା କରିଛନ୍ତି ଏବଂ ପରେ ମୃତଦେହକୁ ଗାଁ ପାଖ ଶୁଖିଲା ନଦୀପଠାରେ ଗାତ ଖୋଳି ପୋତି ଦେଇଛନ୍ତି। ମହିଳା କହିଥିବା ସ୍ଥାନରୁ ପୋଲିସ ଅଜୟଙ୍କ ମୃତଦେହକୁ ଜବତ କରିଛି। ସେପଟେ ମହିଳା କହିଥିଲେ ଯେ ଏହି ହତ୍ୟାକାଣ୍ଡ ଘଟାଇବା ପରେ ତାଙ୍କ ସ୍ୱାମୀଙ୍କୁ ଗିରଫ ଭୟ ଘାରିଥିଲା, ଯାହାଫଳରେ ସେ ସପ୍ତାହ ପୂର୍ବେ ଆତ୍ମହତ୍ୟା କରି ନେଇଛନ୍ତି।

କ’ଣ ରହିଛି ପୂରା ମାମଲା

ପୋଲିସ କହିବା ଅନୁସାରେ, ମୁଜଫରନଗରର ଦଧେଡୁ କଲାଂ ଗାଁର ୨୧ ବର୍ଷୀୟ ଅଜୟ ୧୩ ନଭେମ୍ବରରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ୨୧ ନଭେମ୍ବରରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରେଇଥିଲେ। ସେପଟେ ଅଜୟଙ୍କ ଭାଇ ବିକ୍ରାନ୍ତ ପଡ଼ୋଶୀ ବିରଜୁ ଓ ତାଙ୍କ ସ୍ତ୍ରୀ ସବିତାଙ୍କ ଉପରେ ନିଜ ଭାଇର ଅପହରଣ ଏବଂ ହତ୍ୟା ନେଇ ସନ୍ଦେହ କରିଥିଲେ। ପୋଲିସ ଅଜୟଙ୍କ ମୋବାଇଲର ସିଡିଆର ବାହାର କରିଥିଲା, ଯେଉଁଥିରେ ତାଙ୍କର ଶେଷ ଲୋକେଶନ ଦୌରାଲା ହିଁ ଦେଖାଇଥିଲା। ସେପଟେ ବିରଜୁ ସ୍ତ୍ରୀ ସବିତାଙ୍କ ସହିତ ଗତ କିଛି ମାସରୁ ଦୌରାଲା ଥାନା ଅଧୀନ ମୁଖ୍‌ତିୟାରପୁର ଗାଁରେ ନିଜ ମାମୁଁଘରେ ରହି ଆସୁଥିଲେ। ଏହି ସୂଚନା ଆଧାରରେ ପୋଲିସ ସେଠାରେ ପହଞ୍ଚି ମହିଳାଙ୍କୁ କାବୁ କରି ପଚରାଉଚରା ଆରମ୍ଭ କରି ଦେଇଥିଲା।

ଅଜୟଙ୍କ ସହିତ ଥିଲା ଅବୈଧ ସମ୍ପର୍କ

ପୋଲିସ ମୁତାବକ, ପ୍ରଥମରୁ ମହିଳା ଜଣକ ଘଟଣାରେ ନିଜର ସମ୍ପୃକ୍ତିକୁ ନେଇ ମନା କରି ଦେଇଥିଲେ। କିନ୍ତୁ ପୋଲିସ ଚାପ ପକାଇବା ପରେ ସେ ସ୍ୱୀକାର କରିଥିଲେ। ମହିଳା କହିଥିଲେ କି, ୩ ବର୍ଷରୁ ଅଧିକ ସମୟ ଧରି ଅଜୟଙ୍କ ସହିତ ତାଙ୍କର ସମ୍ପର୍କ ଥିଲା। ଏବେ ସେ ସମ୍ପର୍କ ଭାଙ୍ଗି ଦେବାକୁ ଚାହୁଁଥିଲେ, ଯାହା ବିଷୟରେ ଜାଣିବା ପରେ ଅଜୟ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ। ଏ ନେଇ ମହିଳା ତାଙ୍କ ସ୍ୱାମୀଙ୍କୁ ଜଣାଇ ଥିଲେ। ଏହାପରେ ଦୁହେଁ ମିଶି ଅଜୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ମହିଳା ଅଜୟଙ୍କୁ ମୁଖ୍‌ତିୟାରପୁର ଗାଁକୁ ଡକାଇଥିଲେ। ଏଠାରେ ସେମାନେ ତାଙ୍କୁ ହତ୍ୟା କରି ମୃତଦେହକୁ ନଦୀପଠାରେ ପୋତି ଦେଇଥିଲେ। ପୋଲିସ କହିଛି ଯେ ଏହି ହତ୍ୟାକାଣ୍ଡରେ ସବିତା ଓ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ସବିତାଙ୍କ ଦ୍ୱିତୀୟ ପ୍ରେମିକ ରାଜବୀର ମଧ୍ୟ ସାମିଲ ଅଛନ୍ତି। ରାଜବୀରଙ୍କୁ ମହିଳା ନିଜର ଭାଇ ବୋଲି କହୁଛନ୍ତି। କିନ୍ତୁ ଦୁଇଜଣଙ୍କ ଭିତରେ ଅବୈଧ ସମ୍ବନ୍ଧ ରହିଛି। ସେପଟେ ପୋଲିସ ଗିରଫ କରି ନେବା ଭୟରେ ସବିତାଙ୍କ ସ୍ୱାମୀ ବିରଜୁ ୨୭ ନଭେମ୍ବରରେ ଆତ୍ମହତ୍ୟା କରିଥିବା ସବିତା ପୋଲିସକୁ କହିଛନ୍ତି। ଏହି ଘଟଣାରେ ରାଜବୀର ଫେରାର୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.