ଡାହାଣୀ ସନ୍ଦେହରେ ଘଟାଇଲେ ନୃଶଂସ କାଣ୍ଡ: ମହିଳାଙ୍କ ଚୁଟି କାଟିଲେ ମୁହଁରେ କଳା ବୋଳିଲେ, ତା’ପରେ ଚେଙ୍କ ଦେଲେ

ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ଚୁଟି କାଟିଦେଲେ । ଚୁଟି କାଟିବା ପରେ ମୁହଁରେ କଳା ବୋଳିଦେଲେ ।  ମନ ସେତିକିରେ ବୁଝିଲାନି ଯେ, ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ ପର୍ଯ୍ୟନ୍ତ ଗରମ ଚେଙ୍କ ଦେଇ ଚାଲିଲେ । ଡାହାଣୀ ସନ୍ଦେହରେ କିଛି ଲୋକ ଘଟାଇଲେ ନୃଶଂସ କାଣ୍ଡ । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି କାଣ୍ଡ ଘଟିଛି । ଶେଷରେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ପୋଲିସ ମୁତାବକ, ମହିଳାଙ୍କ ଶରୀରରେ ଡାହାଣୀ ଲାଗିଥିବା ଆତ୍ମାରୁ ତାଙ୍କୁ ମୁକ୍ତ କରିବାକୁ କିଛି ଲୋକ ଏପରି ଅମାନବୀୟ କାଣ୍ଡ ଘଟାଇ ଚାଲିଥିଲେ । ଶାହପୁର ନିବାସୀ ଉକ୍ତ ମହିଳାଙ୍କୁ ଗୁଣ୍ଡାଗୋକୁଳପୁରା ଗାଁ ନିକଟରେ ଥିବା ଏକ ପୂଜା ସ୍ଥଳକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗଛରେ ବାନ୍ଧି ଦୁଇ ଦିନ ପର୍ଯ୍ୟନ୍ତ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିଲା ।

ପ୍ରଥମେ ତାଙ୍କୁ ଗଛରେ ବାନ୍ଧି ଚୁଟି କାଟି ଦେଇ ମୁହଁରେ କଳା ବୋଳିଥିଲେ । ତା’ପରେ ଗରମ ଲୁହାକୁ ତତାଇ ଚେଙ୍କ ପରେ ଚେଙ୍କ ଦିଆଯାଇଛି । ସମସ୍ତେ ଏହା ଦେଖୁଥିବା ବେଳେ ମହିଳାଜଣକ ଛାଡ଼ିଦେବାକୁ କାକୁତିମିନତି ହେଉଥିଲେ । ହେଲେ କେହି ସହି ପାରିନଥିଲେ ।

ଖବର ପାଇ ପୋଲିସ ପହଞ୍ଚି ପୀଡ଼ିତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗରମ ଚେଙ୍କ ଚିହ୍ନ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ମାମଲାରେ ଜଣେ ସ୍ବୟମ୍ବୁ ଓଝା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କେସ୍ ଦାୟର ହୋଇଛି  ।

You might also like