ମହଙ୍ଗା ପଡିଲା ରିଲ୍ସ ନିଶା, ରିଲ୍ସ କରିବାକୁ ସ୍ବାମୀ ମନା କରିବାରୁ ଟ୍ରେନ ଆଗକୁ ଡେଇଁଲେ ମହିଳା

ଜୀବନ ନେଇଗଲା ରିଲ୍ସ କରିବାର ନିଶା । ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ସ୍ବାମୀ ମନା କରିବାରୁ ଟ୍ରେନ ଆଗରେ ଜୀବନ ହାରିଲେ ମହିଳା । ପରିବାର ଲୋକ ଏହା ଜାଣିବା ପରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଉତ୍ତରପ୍ରଦେଶ ମହୋବାସହରର କୋତୱାଲି ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଖବର ମୁତାବକ, ୭ ମାସ ପୂର୍ବରୁ ବିବାହ କରିଥିବା ଦମ୍ପତିଙ୍କ ଖୁସି ରିଲ୍ସ ଯୋଗୁଁ ଦୁଃଖରେ ପରିଣତ ହୋଇଯାଇଛି । ରିଲ୍ସ ବନେଇବାର ନିଶା ମହଙ୍ଗା ପଡିଛି । ଲାଡପୁର ଗାଁରେ ରହୁଥିବା ଶଫିକ ମହୋବା ଭଡା ଘରେ ରହି ଅଣ୍ଡା ବେପାର କରୁଥିଲେ । ୭ ମାସ ପୂର୍ବରୁ ୨୦ ବର୍ଷୀୟ ଜୁଲେଖାଙ୍କ ସହିତ ବିବାହ କରିଥିଲେ ଶଫିକ । ନବବିବାହିତ ଦମ୍ପତି ଖୁସିରେ ନିଜ ଜୀବନ ବିତାଉଥିଲେ, ହେଲେ ପ୍ରତିଦିନ ରିଲ୍ସ କରିବାକୁ ନେଇ ଉଭୟେଙ୍କ ମଧ୍ୟ ଝଗଡା ଲାଗି ରହୁଥିଲା । ମହିଳା ଜଣକ ସବୁବେଳେ ମୋବାଇଲରେ ରିଲ୍ସ କରୁଥିଲେ । ଯାହା ତାଙ୍କ ସ୍ବାମୀଙ୍କୁ ପସନ୍ଦ ନଥିଲା ।

ଗତ ରାତିରେ ଶଫିକ ଦୋକାନରୁ ଘରକୁ ଫେରିବା ପରେ ପତ୍ନୀ ରୋଷେଇ ନ କରି ରିଲ୍ସ କରୁଥିଲେ । ସ୍ବାମୀ ରିଲ୍ସ କରିବାକୁ ମନା କରିବାରୁ ଯୁକ୍ତିତର୍କ ଲାଗିଥିଲା । ଏହାପରେ ଦୁଇ ଜଣ ଖାଇ ଶୋଇପଡିଥିଲେ । କିନ୍ତୁ ବିଳମ୍ବିତ ରାତି ପତ୍ନୀ ଘରୁ କେଉଁଆଡେ ଚାଲିଯାଇଥିଲେ । ଶଫିକ ଏହା ଜାଣି ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ସକାଳ ପର୍ଯ୍ୟନ୍ତ ପତ୍ନୀଙ୍କର କୌଣସି ସନ୍ଧାନ ନ ମିଳିବାରୁ ପୋଲିସକୁ ସୂଚନା ଦେଇଥିଲେ ।

ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପତ୍ନୀଙ୍କ ମୃତଦେହ ଖଜୁରାହୋ ରେଲୱେ ଷ୍ଟେସନରେ ବିକ୍ଷିପ୍ତ ଅବସ୍ଥାରେ ପଡିଥିଲା । ରିଲ୍ସ କରିବାକୁ ସ୍ବାମୀ ମନା କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଏମିତି କରିଛନ୍ତି । ଏହି ମାମଲାରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ କହିବା ମୁତାବକ, ଏହି ମାମଲାରେ ଯାଞ୍ଚ ଚାଲିଛି । ମୃତଦେହକୁ ବ୍ୟବଚ୍ଛେଦ ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।