ଦିଲ୍ଲୀରେ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ, ୮ ଆହତ

ଦିଲ୍ଲୀର ଦ୍ୱାରକା ସେକ୍ଟର-୧୨ସ୍ଥିତ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଦ୍ୱାରକାରେ ଏକ ଘରୋଇ ହସ୍ପିଟାଲର ବେସ୍ମେଣ୍ଟ ନିର୍ମାଣ ଚାଲିଥିବା ବେଳେ ହଠାତ୍ ଏହାର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ବେସ୍ମେଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ ।
ମିଳିଥିବା ସୂଚନା ମୁତାବକ, ଯେତେବେଳେ ହସ୍ପିଟାଲର ବେସମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା, ସେଠାରେ କାମ କରୁଥିବା ଅନେକ ଶ୍ରମିକ ଏଥିରେ ଫସି ଯାଇଥିଲେ । ଏହା ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଥିଲେ । ମହିଳାଙ୍କ ସହ କାମ କରୁଥିବା ଅନ୍ୟ ୮ ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ । ସମସ୍ତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ନାମ ନମଲି ଦେବୀ । ସେ ଉତ୍ତରପ୍ରଦେଶ ଝାନ୍ସିର ବାସିନ୍ଦା । ତାଙ୍କ ବୟସ ୩୦ ବର୍ଷ । ନିର୍ମାଣାଧୀନ ବେସ୍ମେଣ୍ଟର ଉତ୍ତର-ପୂର୍ବ ପଟକୁ ଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହାପରେ ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ପୋଲିସ ଏବଂ ଦମକଳ ବିଭାଗକୁ ଖବର ଦେଇଥିଲେ । ନିଜେ ମଧ୍ୟ ଭଗ୍ନାବେଶଷ ଭିତରେ ଫସି ରହିଥିବା ଆହତମାନଙ୍କୁ ବାହାର କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ପୋଲିସ ପହଞ୍ଚି ଯାଞ୍ଚ କରିବା ସହ ଏ ନେଇ ମାମଲା ରୁଜୁ କରିଛି ।