ମହିଳା ଡାକ୍ତରଙ୍କ ଚୁଟି ଧରି ଟାଣିଲେ, ନିର୍ଧୂମ ପିଟିଲେ ରୋଗୀଙ୍କ ସଂପର୍କୀୟ, ମାମଲା ରୁଜୁ

ମହିଳା ଡାକ୍ତରଙ୍କ ଚୁଟି ଧରି ଟାଣିଲେ ରୋଗୀଙ୍କ ସଂପର୍କୀୟ । ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ନିର୍ଧୂମ ଛେଚିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଉତ୍ତର ପ୍ରଦେଶ ଲକ୍ଷ୍ନୌର ଲୋକବନ୍ଧୁ ମେଡ଼ିକାଲରେ ଘଟିଛି ଏଭଳି ଘଟଣା ।

ଖବର ମୁତାବକ, ପେଟ ଯନ୍ତ୍ରଣା ଯୋଗୁଁ ରାଜାଜୀପୁରମ୍ ଅଞ୍ଚଳର ୬୫ ବର୍ଷୀୟ ରାଜେଶ ଟଣ୍ଡନଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଥିବା ଜୁନିୟର ଡାକ୍ତର ଜ୍ୟୋତି କୃଷ୍ଣାମୂର୍ତ୍ତି ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଏହି ସମୟରେ ରାଜେଶ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଫଳରେ ତାଙ୍କ ସହ ଥିବା ସଂପର୍କୀୟମାନଙ୍କର ଡାକ୍ତର ଜ୍ୟୋତିଙ୍କ ସହ ଉପରେ ରାଗି ଯାଇ ଅଭଦ୍ରାମୀ କରିଥିଲେ ।

ଘଟଣା ଉଗ୍ର ରୂପ ଧାରଣ କରିବାରୁ ରୋଗୀଙ୍କ ସଂପର୍କୀୟ ମହିଳା ଡାକ୍ତରଙ୍କ ଚୁଟି ଟାଣିବା ସହ ତାଙ୍କୁ ମାରପିଟ କରିଥିଲେ । ଏ ନେଇ ଡାକ୍ତର ଜଣକ ହସ୍ପିଟାଲ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମହିଳା ଡାକ୍ତର ଜଣକ କୃଷ୍ଣାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ହାଇଦ୍ରାବାଦର ଗାନ୍ଧି ହସପିଟାଲର କାଜୁଆଲଟି ଡିପାର୍ଟମେଣ୍ଟରେ ଅପରାହ୍ନ ୩.୩୦ ମିନିଟରେ ଜଣେ ଜୁନିଅର ମହିଳା ଡାକ୍ତର ନିଜ କାମ କରୁଥିଲେ । ଏହି ସମୟରେ ଜଣେ ମଦ୍ୟପ ବ୍ୟକ୍ତି ମହିଳା ଡାକ୍ତରାଣୀଙ୍କ ହାତ ଧରି ଟାଣି ଆଣି ଅସଦାଚରଣ କରିଥିଲେ ।

ଗୁଜରାଟ ଭାବନଗର ସିହୋରରେ ରୋଗୀଙ୍କ ସଂପର୍କୀୟ ସ୍ଲିପର ପିନ୍ଧି ଏମରଜେନ୍ସୀ ରୁମକୁ ଆସିଥିବାରୁ ଡାକ୍ତର ବାରଣ କରିଥିଲେ । ଆଉ ଚପଲ କାଢି ଆସିବାକୁ କହିଥିଲେ । ଯେଉଁଥିରେ ଊତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାଡ ମାରିଥିଲେ ରୋଗୀଙ୍କ ସଂପର୍କୀୟ ।

ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।  ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି ।

You might also like