୭୦ ବର୍ଷୀୟା ମହିଳା ତିରୁପତି ମନ୍ଦିରକୁ ଦାନ କଲେ ନିଜର ୩୫ ବର୍ଷର ସଞ୍ଚୟ, ଗରିବ ପିଲାଙ୍କ ପାଇଁ ନେଲେ ବଡ଼ ନିଷ୍ପତ୍ତି

ଜଣେ ୭୦ ବର୍ଷୀୟା ମହିଳା ନିଜର ସଞ୍ଚିତ ଅର୍ଥକୁ ତିରୁପତି ମନ୍ଦିରକୁ ଦାନ ଦେଇଛନ୍ତି । ସେ ସୋମବାର ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ଶ୍ରୀ ଭେଙ୍କଟେଶ୍ୱର ସର୍ବ ଶ୍ରେୟସ୍ (ଏସଭି ବାଲାମନ୍ଦିର) ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହା ତାଙ୍କର ୩୫ ବର୍ଷର ମୋଟ ସଞ୍ଚୟ ଥିଲା ।
ରେନିଗୁଣ୍ଟାର ସି ମୋହନା ମିଳିତ ଜାତିସଂଘ ସହ କୋସୋଭୋ, ଅଲବାନିଆ, ୟେମେନ, ସାଉଦି ଆରବ ଏବଂ ଭାରତରେ ବିଭିନ୍ନ ପଦବୀରେ ରହି ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିବା ସମୟରେ ଏହି ଅର୍ଥରାଶି ସଞ୍ଚୟ କରିଥିଲେ ।
ମନ୍ଦିର ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ୭୦ ବର୍ଷୀୟା ଜଣେ ଦାତା ଗତ ୩୫ ବର୍ଷ ଧରି ବିଭିନ୍ନ ପଦବୀରେ ସେବା କରି ସଞ୍ଚୟ କରିରଖିଥିବା ଅର୍ଥକୁ ଦାନ କରିଛନ୍ତି । ସେ ଟିଟିଡି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଅନାଥ ତଥା ଗରିବ ପିଲାମାନଙ୍କ କଲ୍ୟାଣ ପାଇଁ ଏହି ଦାନ ଦେଇଛନ୍ତି । ସେ ତିରୁମାଲାରେ ଟିଟିଡିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏଚ୍ ଭେଙ୍କେୟା ଚୌଧୁରୀଙ୍କୁ ଏକ ଡିମାଣ୍ଡ ଡ୍ରାଫ୍ଟ ଆକାରରେ ଦାନ ଟଙ୍କା ପ୍ରଦାନ କରିଛନ୍ତି । ଟିଟିଡି ହେଉଛି ତିରୁପତିରେ ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ସଂରକ୍ଷକ ।
ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ତିରୁମାଲା ପାହାଡ଼ ଉପରେ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ରହିଛି । ଭଗବାନ ଭେଙ୍କଟେଶ୍ୱରଙ୍କୁ ଭେଙ୍କଟାଚଲପତି କିମ୍ବା ଶ୍ରୀନିବାସ ବାଲାଜୀ ନାମରେ ମଧ୍ୟ ଜଣାଯାଇଥାଏ । ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ତରଫରୁ ତିରୁପତି ମନ୍ଦିରର ପରିଚାଳନା କରାଯାଏ ।
ଏହା ମଧ୍ୟ ପଢ଼ନ୍ତୁ: ପୁଣି ତିରୁପତି ମନ୍ଦିରରେ ଲାଗିଲା ନିଆଁ, ସଟ୍ ସର୍କିଟ ଯୋଗୁଁ ହୋଇଥିବା ସୂଚନା