ସ୍ୱିଟ୍‌ଜରଲ୍ୟାଣ୍ଡ: ପୀଡ଼ିତାଙ୍କୁ ମାତ୍ର ୧୧ ମିନିଟ୍‌ ଧରି ହୋଇଛି ଦୁଷ୍କର୍ମ, ଦୋଷୀର ଦଣ୍ଡକୁ କୋହଳ କରି ଦେଲେ ମହିଳା ଜଜ୍‌, ଚାରିଆଡ଼ୁ ଉଠିଲା ବିରୋଧର ସ୍ୱର

ସ୍ୱିଟ୍‌ଜରଲ୍ୟାଣ୍ଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ କୋର୍ଟ ଗତବର୍ଷ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଜଣେ ଦୋଷୀଙ୍କ ଦଣ୍ଡକୁ କୋହଳ କରି ଦେଇଛନ୍ତି ଏବଂ ଏହା ପଛରେ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସେଠାକାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ସଂଖ୍ୟାରେ ମହିଳା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ଅନେକ ରାଜନୀତିଜ୍ଞ ମଧ୍ୟ ଏଥିରେ ହାତ ମିଳାଇଛନ୍ତି।

ମହିଳା ଜଜ୍‌ ଲିଜଲୋଟ ହ୍ୟାଞ୍ଜ ନିଜ ନିଷ୍ପତ୍ତିରେ କହିଛନ୍ତି କି, ପୀଡ଼ିତାଙ୍କ ସହ ମାତ୍ର ୧୧ ମିନିଟ୍‌ ଧରି ଦୁଷ୍କର୍ମ ହୋଇଛି। ଏଥିପାଇଁ ଦୋଷୀଙ୍କ ଦଣ୍ଡକୁ କୋହଳ କରାଯାଉଛି। ରିପୋର୍ଟ ମୁତାବକ, ଗତବର୍ଷ ବେସଲରେ ୩୩ ବର୍ଷୀୟା ମହିଳାଙ୍କୁ ପର୍ତ୍ତୁଗାଲର ଜଣେ ଯୁବକ ଏବଂ ଜଣେ ନାବାଳକ ମିଶି ଗଣଦୁଷ୍କର୍ମ କରିଥିଲେ। ନାବାଳକଙ୍କ ବୟସ ୧୭ ବର୍ଷ ଥିବା ବେଳେ ଯୁବକଙ୍କ ବୟସ ଥିଲା ୩୨ ବର୍ଷ। ଏହି ମାମଲାରେ ନାବାଳକ ଅଭିଯୁକ୍ତଙ୍କୁ କୋର୍ଟ ଏ ପର୍ଯ୍ୟନ୍ତ ଦଣ୍ଡ ଶୁଣାଇ ନ ଥିବା ବେଳେ ସେପଟେ ଦ୍ୱିତୀୟ ଦୋଷୀଙ୍କ ୫୧ ମାସର ଜେଲ୍‌ ଦଣ୍ଡକୁ କୋହଳ କରି ୩୬ ମାସ କରି ଦେଇଛନ୍ତି।

ମହିଳା ଜଜ୍‌ ଏହା ମଧ୍ୟ କହିଥିଲେ ଯେ ପୀଡ଼ିତା ମହିଳା ଅଭିଯୁକ୍ତମାନଙ୍କୁ ସିଗ୍ନାଲ ପଠାଇଥିଲେ। ଏହି କାରଣରୁ ସେମାନଙ୍କ ସାହସ ବଢ଼ିଯାଇଥିଲା, ଯାହାକୁ ବିକ୍ଷୋଭକାରୀମାନେ ଘୋର ବିରୋଧ କରିଛନ୍ତି। ସେମାନେ କହିଛନ୍ତି କି, ପୀଡ଼ିତା ନୁହେଁ, ବରଂ କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇ ଭୁଲ୍‌ ସିଗ୍ନାଲ ଦେଇଛନ୍ତି। ତୁରନ୍ତ ସେ ତାଙ୍କ ନିଷ୍ପତ୍ତିକୁ ଫେରାଇ ନିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.