ଅନ୍ଧ ପ୍ରେମ: ୧୮ ବର୍ଷର ପ୍ରେମିକ ହାତରେ ସ୍ୱାମୀର ଜୀବନ ନେଲା ଦୁଇଟି ପିଲାର ମାଆ

ନୂଆଦିଲ୍ଲୀ: ମହିଳାଙ୍କ ପ୍ରେମର ଅନ୍ଧ ଯୁବକ କରି ବସିଲା ଭୟଙ୍କର କାଣ୍ଡ । ପ୍ରେମିକା କଥାରେ ପଡ଼ି ମାରିଦେଲା ଜଣକୁ । ଯାହାକୁ ମାରିଲା ସେ ହେଉଛି ପ୍ରେମିକାର ସ୍ୱାମୀ । ଏଭଳି ଘଟଣା ଘଟିଛି ଦିଲ୍ଲୀ ଗ୍ରେଟର ନୋଏଡା ଅଞ୍ଚଳରେ । ଯେଉଁ ହତ୍ୟା ଘଟଣାର ପୋଲିସ୍ ଏବେ ପର୍ଦ୍ଦାଫାସ କରିଛି । ଘଟଣାରେ ବେଶ୍ ଟ୍ଵିଷ୍ଟ ମଧ୍ୟ ରହିଛି । କାରଣ ହତ୍ୟା ଅଭିଯୁକ୍ତର ବୟସ ମାତ୍ର ୧୮ ବର୍ଷ । ଆଉ ସେ ପ୍ରେମରେ ପଡ଼ିଥିବା ମହିଳା ହେଉଛନ୍ତି ଦୁଇଟି ପିଲାର ମାଆ ।
ଆସନ୍ତୁ ଜାଣିବା ପୂରା ଘଟଣା । ଗ୍ରେଟର ନୋଏଡାର ଥାନା ଅନ୍ତର୍ଗତ ସିର୍ସା ଗାଁରେ ରହୁଥିଲେ ବନି ସିଂହ ନାମକ ଯୁବକ । ଗତ ଗୁରୁବାର ରାତିରେ କେହି ତାଙ୍କର ହତ୍ୟା କରିଦେଲା । ନୋଏଡା ପୋଲିସ୍ ଖବର ପାଇଲା ପରେ ତୁରନ୍ତ ଲାଗିଗଲା ତଦନ୍ତରେ । ବନିଙ୍କୁ କିଏ ମାରିଲା ଓ କାହିଁକି ମାରିଲା କାରଣ ଖୋଜା ଚାଲିଲା । ତେବେ ପୋଲିସ୍ ସୂଚନା ଅନୁସାରେ ବନି ସିଂହ ଓରଫ ବିଶାଲ ହେଉଛି ବୁଲନ୍ଦସହର ବାସିନ୍ଦା । ତେବେ ସେ ଘରଭଡ଼ା ନେଇ ସିରସା ଗ୍ରାମରେ ରହୁଥିଲେ । ୮ ବର୍ଷ ପୂର୍ବରୁ ଆଲିଗଡ଼ର ମମତାଙ୍କ ସହ ତାଙ୍କର ବାହାଘର ହୋଇଥିଲା । ପତ୍ନୀ ମମତା ଓ ଦୁଇ ପିଲାଙ୍କ ସହ ରହୁଥିଲେ ବନି ।
ତେବେ ଗତ ୧୩ ତାରିଖ ସକାଳେ ସେ ରହୁଥିବା ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ମିଳିଲା । କାସନା ଥାନା ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ମମତା ଘରେ ନଥିଲେ । ନିଜ ବାପ ଘରକୁ ଚାଲି ଯାଇଥିବା କୁହାଯାଇଥିଲା । ତେବେ ଘଟଣାର ସବୁ ଦିଗକୁ ତଦନ୍ତ କରି ପୋଲିସ୍ ବାହାଦୂର ସିଂହ ନାମକ ଜଣେ ୧୮ ବର୍ଷର ଯୁବକକୁ ଧରିଥିଲା । ତାକୁ ଜେରା କରିବା ପରେ ଜଣାପଡ଼ିଲା ହତ୍ୟାର ଉଦ୍ଦେଶ୍ୟ । ତାଠାରୁ ସୁରାକ୍ ପାଇ ପୋଲିସ୍ ପରେ ବନିଙ୍କ ପତ୍ନୀ ମମତାକୁ ଗିରଫ କରିଥିଲା । ଆଉ ଦୁହିଙ୍କ ବୟାନରୁ ପର୍ଦ୍ଦାଫାସ ହେଲା ହତ୍ୟା ଘଟଣା ପଛର ରହସ୍ୟ ।
ବନିଙ୍କ ପତ୍ନୀ ମମତାଙ୍କ କହିବା କଥା ତାଙ୍କ ସ୍ବାମୀ ବୟସରେ ତାଙ୍କ ଠାରୁ ବହୁତ ବଡ଼ ଥିଲେ । ପୁଣି ସବୁ ଦିନେ ମଦ ପିଇ ଆସି ମାରପିଟ କରୁଥିଲେ । ସ୍ୱାମୀ ପ୍ରତି ମମତାର ଘୃଣା ଭାବ ସୃଷ୍ଟି ହୋଇଥିଲା । ତାଠାରୁ କେମିତି ମୁକୁଳିବ ସେ କଥା ଭାବି ହେଉଥିଲା ମମତା । ତେବେ ବର୍ଷେ ତଳେ ଏକ ସମ୍ପର୍କୀୟର ବାହାଘରରେ ମମତାର ଦେଖା ସାକ୍ଷାତ ହେଲା ବାହାଦୂର ସିଂହ ସହିତ । ଧୀରେ ଧୀରେ ଦୁହିଙ୍କ ସମ୍ପର୍କ ବଢ଼ିଲା । ଯାହା ପରେ ପ୍ରେମ ସମ୍ପର୍କରେ ବଦଳିଗଲା । ଗତ ନଭେମ୍ବର ୧୭ ତାରିଖରେ ବନି ସିଂହ ଓ ପତ୍ନୀ ମମତାଙ୍କ ମଧ୍ୟରେ ଭୀଷଣ କଳି ଝଗଡ଼ା ହାଇଥିଲା ।
ଏହାପରେ ରାଗି ଯାଇ ମମତା ପିଲାଙ୍କୁ ଧରି ନଭେମତବର ୧୯ ତାରିଖ ଦିନ ବାପଘର ଅଲିଗଡ଼ ପଳାଇ ଯାଇଥିଲା । ସେଠାରେ ରହିବା ଭିତରେ ସେ ବାହଦୂର ସିଂହ ସହିତ ଯୋଗାଯୋଗ କରି ଘଟଣା ସମ୍ପର୍କରେ କହିଲା ଏବଂ ଦୁହେଁ ବନିକୁ ରାସ୍ତାରୁ ସବୁ ଦିନ ପାଇଁ ସଫା କରିଦେବାର ପ୍ଲାନ୍ କଲେ । ତେବେ ଏହା ଭିତରେ ବାହାଦୁରର ଘର ଲୋକେ ତାକୁ ବାହା କରାଇବା ପାଇଁ ଝିଅ ଖୋଜାଖୋଜି କରୁଥିଲେ । ଏକଥା ଜାଣିବା ପରେ ମମତା ଡିସେମ୍ବର ୨ ତାରିଖରେ ପ୍ରେମିକ ବାହାଦୂରକୁ ବାହା ହୋଇ ଯାଇଥିଲା । ଏହାପରେ ସେମାନେ ନୋଏଡାର ଛଲେରା ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହିବାକୁ ଲାଗିଲେ । ବାହାଦୂର ସେଠାରେ ଏକ ଠେଲାଗାଡ଼ିରେ ମୋମୋ ବିକିବା କାମ କରୁଥିଲା । ହେଲେ ଏକଥାର କୌଣସି ସୁରାକ ବନି ପାଇନଥିଲା ।
ସେପଟେ ମମତା ହତ୍ୟାର ଯୋଜନା ପ୍ରସ୍ତୁତ କଲା । ସେହି ଅନୁଯାୟୀ ତାର ପ୍ରେମିକ ବହାଦୂର ସିଂହକୁ ନିଜ ମାଉସୀ ପୁଅ ବୋଲି କହି ବନି ପାଖକୁ ପଠାଇଲା । ଡିସେମ୍ବର ୧୨ ତାରିଖ ରାତିରେ ବାହାଦୂର ବନି ପାଖରେ ପହଞ୍ଚି ରାତିରେ ରହିଥିଲା । ପତ୍ନୀର ମାଉସୀ ପୁଅ ଭାବି ବନି ମଧ୍ୟ ବାହାଦୁରର ଚର୍ଚ୍ଚା କରିଥିଲା । ଦୁହେଁ ରାତିରେ ସାଙ୍ଗ ହୋଇ ଖାଇଲେ ଏବଂ ବନି ମଦ ପିଇଥିଲା । ତେଣୁ ଖାଇବା ପରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲା । ଏହି ସୁଯୋଗରେ ବାହାଦୂର ସାଙ୍ଗରେ କିଣିକି ଆଣିଥିବା ଏକ କଟୁରୀ ସାହାଯ୍ୟରେ ବନିକୁ ହାଣି ମାରି ଦେଲା । ହତ୍ୟାକାଣ୍ଡ ଘଟାଇ ବାହାଦୂର ସିଧାସଳଖ ଯାଇ ନିଜ ପ୍ରେମିକା ମମତା ପାଖରେ ପହଞ୍ଚିଥିଲା । ଆଉ କହିଥିଲା ମୁଁ ବନିର କାମ ତମାମ୍ କରିଦେଲି । ହେଲେ ସେମାନଙ୍କୁ ଜଣାନଥିଲା ଯେ ଯେଉଁ କାଣ୍ଡ ଘଟାଇଛନ୍ତି ତାର ଫଳ କଣ ହେବ । ପୋଲିସ୍ ତଦନ୍ତ କରି ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏହି ପ୍ରେମୀ ଯୁଗଳଙ୍କ କାଣ୍ଡ ଯୋଗୁଁ ଗୋଟିଏ ପରିବାର ତ ପୂରା ବର୍ବାଦ ହୋଇଗଲା । ତା ସହିତ ଦୁଇଟି ଛୋଟ ପିଲା ଅନାଥ ହୋଇଗଲେ ।