ପଡୋଶୀଙ୍କ ୩ ବର୍ଷର ପୁଅକୁ ମାରି ଓ୍ଵାଶିଂ ମେସିନରେ ଲୁଚାଇଥିଲେ ମହିଳା, ଧରାପଡିବା ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ

ପିଶାଚିନୀ ସାଜିଲା ପଡୋଶୀ । ୩ ବର୍ଷର ପିଲାକୁ ମାରି ମୃତଦେହକୁ ଓ୍ଵାଶିଂ ମେସିନରେ ଲୁଚାଇଥିଲା । ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ରାଧାପୁରମ ପୋଲିସ ୪୦ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ, ସନ୍ଦିଗ୍ଧ ମହିଳାଙ୍କ ସଂପର୍କ ପଡୋଶୀ ସହିତ ଭଲ ନଥିଲା । ମହିଳା ଜଣକ ନିଜ ପୁଅର ମୃତ୍ୟୁ ପରେ ମାନସିକ ଭାବେ ଅସ୍ଥିର ଥିଲେ ।

ଖବର ମୁତାବକ, ପୀଡିତ ୩ ବର୍ଷୀୟ ସଂଜୟ ସୋମବାର ଦିନ ସକାଳେ ଅଥୁକୁରିଚି ଗାଁରେ ନିଜ ଘର ପାଖରେ ଖେଳୁଥିଲା । ପିଲାକୁ ଅଙ୍ଗନବାଡି ନେବା ପାଇଁ ମା’ ଖୋଜିବା ପରେ ସଂଜୟ ଗାଏବ ହୋଇଥିବା ଜାଣିବାକୁ ପାଇଥିଲା । ମୃତ ପିଲାର ବାପା ବିଘ୍ନେଶ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଚାରିଆଡେ ଖୋଜିବା ପରେ ପୋଲିସକୁ ଖବର ଦେଇଥିଲେ ।

ତେବେ ମୃତ ପିଲାର ବାପାଙ୍କ ସନ୍ଦେହ ପଡୋଶୀ ଉପରେ ଥିଲା । ତେଣୁ ସେ ପୋଲିସକୁ ଏହା ବିଷୟରେ ଜଣାଇବା ପରେ ପୋଲିସ ତାଙ୍କ ଘରର ତଲାସୀ କରିଥିଲା । ପଡୋଶୀ ମହିଳାଙ୍କ ଘର ଖୋଜାଖୋଜି କରିବା ପରେ ମୃତ ଶିଶୁ ସଂଜୟର ଶବ ଓ୍ଵାଶିଂ ମେସିନ ଭିତରେ ଏକ ଅଖାରେ ଥିବା ପୋଲିସ ପାଇଥିଲା । ପୋଲିସ ମୃତଦେହକୁ ଜବତ କରି ସରକାରୀ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଜିଲ୍ଲା ଏସପି ଏନ ସିଲବରାସନ ଏବଂ ଡିଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମହିଳା ଥଙ୍ଗମ୍ମଲଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି । ଗିରଫ ମହିଳାଙ୍କ ମାନସିକ ସ୍ଥିତି ଭଲ ନଥିବା ପୋଲିସ କହିଛି । ଘଟଣାରେ ଅନ୍ୟ କେଉଁମାନେ ସାମିଲ ରହିଛନ୍ତି, ପୋଲିସ ତାହାର ତଦନ୍ତ କରୁଛି ।

ତେବେ ମହିଳାଙ୍କ ପୁଅ ଗତ କିଛିଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲା । ଯାହା ପାଇଁ ମହିଳା ଜଣକ ବିଘ୍ନେଶଙ୍କ ପରିବାରକୁ ଦୋଷୀ ବୋଲି କହୁଛନ୍ତି ମହିଳା । ଆଉ ହୁଏତ ଏଭଳି ପ୍ରତିଶୋଧ ପରାୟଣ ହୋଇ ମହିଳା ଜଣକ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like