ଛତିଶଗଡ଼: ସୁରକ୍ଷା ବାହିନୀ ଗୁଳିରେ ମହିଳା ନକ୍ସଲ ନିହତ, ଘୋଷଣା ହୋଇଥିଲା ୮ ଲକ୍ଷ ଟଙ୍କା ପୁରସ୍କାର ରାଶି

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଜଣେ ମହିଳା ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି । ୩୦ ବର୍ଷୀୟା ଏହି ନକ୍ସଲଙ୍କ ଉପରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କାଙ୍କେର ପୋଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣ ଇଲେସେଲା କହିଛନ୍ତି ଯେ ଛୋଟେ ବେଥିୟା ଥାନା ଅଧୀନ ବିନାଗୁଣ୍ଡା ଗାଁ ଅଞ୍ଚଳରେ ଯେତେବେଳେ ସୁରକ୍ଷା ବାହିନୀ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ, ସେହି ସମୟରେ ଏହି ଗୁଳି ବିନିମୟ ହୋଇଥିଲା ।
ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍ଜି)ର ଜଣେ ଅଧିକାରୀ କହିଛନ୍ତି, ନକ୍ସଲ ବିରୋଧୀ ଅଭିଯାନରେ ବସ୍ତର ଫାଇଟର୍ସ ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୩୦ତମ ଓ ୯୪ତମ ବାଟାଲିୟନ୍ର ସୁରକ୍ଷାକର୍ମୀ ମିଳିତ ରୂପେ ସାମିଲ ହୋଇଥିଲେ । ଗୁଳି ବିନିମୟ ଥମିବା ପରେ ଘଟଣାସ୍ଥଳରୁ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯିବା ସହ ସେଠାରୁ ଏ.୩୦୩ ଓ ଏ.୩୧୫ ରାଇଫଲ୍ ଜବତ କରାଯାଇଛି ।
ପୋଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣଙ୍କ ସୂଚନା ଅନୁସାରେ, ନିହତ ମହିଳା ନକ୍ସଲଙ୍କ ପରିଚୟ ମିଳିଛି । ସେ ବିଜାପୁର ଜିଲ୍ଲାର ମାନକଲେଲି ଗାଁର ରୀତା ମଡିୟାମ୍ ବୋଲି ଜଣାପଡ଼ିଛି । ସେ ପିପୁଲ୍ସ ଲିବରେସନ ଗରିଲ୍ଲା ଆର୍ମି (ପିଏଲ୍ଜିଏ)ର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ଉପରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା ।