ନୂଆଦିଲ୍ଲୀ : କୁହାଯାଏ ଭଗବାନ ଶିବ ହେଉଛନ୍ତି ତପେ ବାର ନହେଲେ କୋପେ ବର । ତାଙ୍କ ପରି ସ୍ୱାମୀ ପାଇବାକୁ ସବୁ ଝିଅ ମାନଙ୍କର ଇଚ୍ଛା ଥାଏ। ପୌରାଣିକ କାହାଣୀ ଅନୁଯାୟୀ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ସତୀ ଘୋର ତପସ୍ୟା କରିଥିଲେ ଏବଂ ସତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସତୀଙ୍କୁ ନିଜ ସ୍ତ୍ରୀ ଭାବରେ ମାନ୍ୟତା ଦେଇଥିଲେ ଭୋଳା ଶଙ୍କର। ଏଭଳି ଏକ ସମାନ ଘଟଣା କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି । ଏହା ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପରେ ସତ୍ୟ ।
ଉତ୍ତରାଖଣ୍ଡର ପିଥୋରାଗଡ଼ରେ କୈଳାଶ-ମାନସରୋବର ରାସ୍ତାରେ ଭାରତ-ଚୀନ ସୀମା ପାଖରେ ଏକ କଟକଣା ଅଞ୍ଚଳରେ ଲକ୍ଷ୍ନୌର ଜଣେ ମହିଳା ନିଜକୁ ପାର୍ବତୀଙ୍କର ଅବତାର କହିଛନ୍ତି । ଏଥି ସହିତ ସେ ସେହି ସ୍ଥାନ ଛାଡ଼ିବାକୁ ମଧ୍ୟ ମନା କରିଛନ୍ତି । ଏପରିକି ତାଙ୍କୁ ସେଠାରୁ ଆଣିବାରେ ପ୍ରଶାସନ ବି ବିଫଳ ହୋଇଛି । ମହିଳା ଜଣକ କହିଛନ୍ତି ଯେ, ସେ କୈଳାଶ ପର୍ବତରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ । ମହିଳାଙ୍କ ନାମ ହରମିନ୍ଦର କୌର ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ଘଟଣାକୁ ନେଇ ଉତ୍ତରାଖଣ୍ଡ ପିଥ୍ଓରାଗର୍(Pithoragarh)ର ଏସପି ଲୋକେନ୍ଦ୍ର ସିଂ କହିଛନ୍ତି ଯେ, ‘ଉତ୍ତରପ୍ରଦେଶର ଆଲିଗଞ୍ଜ ଅଞ୍ଚଳର ଏହି ମହିଳା ଜଣକ ଏସଡିଏମ ଧର୍ଚୁଲାଙ୍କ ଅନୁମତି ପାଇବା ପରେ ୧୫ ଦିନ ପାଇଁ ତାଙ୍କ ମାଆଙ୍କ ସହ ଗୁଞ୍ଜୀ ଅଞ୍ଚଳକୁ ଯାଇଥିଲେ । ଗତ ମେ’ ମାସ ୨୫ ତାରିଖରେ ତାଙ୍କର ଅନୁମତି ଶେଷ ହୋଇଯାଇଛି । ଗୁଞ୍ଜି ଇନରଲାଇନ ଅଞ୍ଚଳରେ ହୋଇଥିବାରୁ ସ୍ୱତନ୍ତ୍ର ଅନୁମତି ଦରକାର ପଡ଼ିଥାଏ । ଏସ୍ପି କହିଛନ୍ତି ଯେ, କଟକଣା ଅଞ୍ଚଳରେ ହରମିନ୍ଦରଙ୍କୁ ହଟାଇବା ପାଇଁ ପୋଲିସର ଏକ ଟିମ ଯାଇଥିଲେ । କିନ୍ତୁ ମହିଳା ଜଣକ ଆତ୍ମହତ୍ୟା ଧମକ ଦେଇଥିଲେ । ଫଳରେ ଟିମ ହତାଶ ହୋଇ ଫେରି ଆସିଥିଲେ । ଏବେ ବଳପୂର୍ବକ ଧାରତୂଲା ଆଣିବାକୁ ପାଇଁ ଏକ ବଡ଼ ଟିମ୍ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବର୍ତ୍ତମାନ ଆମେ ମହିଳାଙ୍କୁ ଫେରାଇ ଆଣିବା ପାଇଁ ମେଡିକାଲ କର୍ମଚାରୀଙ୍କ ସମେତ ୧୨ ଜଣିଆ ପୋଲିସ ଦଳ ପଠାଇବାକୁ ଯୋଜନା କରିଛୁ ।’ ସୂଚନା ଅନୁସାରେ, ମହିଳା ଜଣକ ନିଜକୁ ଦେବୀ ପାର୍ବତୀଙ୍କ ଅବତାର ବୋଲି କହିବା ସହ ଭଗବାନ ଶିବଙ୍କୁ ବିବାହ କରିବାକୁ ଦାବି କରିଛିନ୍ତି । ଏଥିରୁ ଜଣାପଡ଼ିଛି ଯେ ତାଙ୍କର ମାନସିକ ଅବସ୍ଥା ସ୍ଥିର ନାହିଁ ।