ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ‘ମକା’ ଖାଇ ପେମେଣ୍ଟ୍ କଲେ ୫୨୫ ଟଙ୍କା ! ସୋସିଆଲ ମିଡିଆରେ ଭାଇରାଲ

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ମହଙ୍ଗା ‘କର୍ଣ୍ଣ ଡିସ୍’ ଖାଇ ନିରାଶ ହୋଇଛନ୍ତି ଜଣେ ମହିଳା ଗ୍ରାହକ । ଖାଦ୍ୟର ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ରହିଛି…
ହାଇଦ୍ରାବାଦରେ ଥିବା ବିରାଟ କୋହଲିଙ୍କ ଏହି ରେଷ୍ଟୁରାଣ୍ଟକୁ ଜଣେ କଲେଜ ପଢ଼ୁଆ ଛାତ୍ରୀ ଖାଇବାକୁ ଆସିଥିଲେ । ସେ ‘କର୍ଣ୍ଣ ବା ମକା’ରେ ତିଆରି ଏକ ବ୍ୟଞ୍ଜନ ଅର୍ଡର କରିଥିଲେ । ଆଉ ଏଥିପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡ଼ିଥିଲା । ଏହାପରେ ଛାତ୍ରୀ ଜଣକ ଏଠାକାର ମହଙ୍ଗା ଖାଦ୍ୟପେୟକୁ ନେଇ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଥିଲେ ।
ଛାତ୍ରୀଙ୍କ ନାଁ ସ୍ନେହା ବୋଲି ଜଣାପଡ଼ିଛି । ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ଯେ ସେ କର୍ଣ୍ଣ ଷ୍ଟାର୍ଟର ପାଇଁ ୫୨୫ ଟଙ୍କା ପେମେଣ୍ଟ କରିଛନ୍ତି । ଏହାର ଫଟୋ ମଧ୍ୟ ସେ ସେୟାର କରିଛନ୍ତି । ଏଥିରେ ଏକ ପ୍ଲେଟରେ କଟା ମକା ରଖାଯାଇଛି ଏବଂ ଏହା ଉପରେ ଧନିଆ, ଲେମ୍ବୁ ଦ୍ୱାରା ଗାର୍ନିସିଙ୍ଗ୍ କରାଯାଇଛି । ଛାତ୍ରୀ ଜଣକ କୋହଲିଙ୍କ ରେଷ୍ଟୁରାଷ୍ଟରେ ଏହାକୁ ଅର୍ଡର କରିଥିଲେ ।
ଫଟୋ ସହିତ ସେ କ୍ୟାସପନ ଲେଖିଛନ୍ତି, ‘ମୁଁ One8 Communeରେ ଏଥିପାଇଁ ଆଜି ୫୨୫ ଟଙ୍କା ପେମେଣ୍ଟ କରିଛି’ । ଏହାସହିତ ଛାତ୍ରୀ ଏକ କାନ୍ଦୁଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି । ସାଧାରଣତଃ ଲୋକାଲ ମାର୍କେଟରେ ଏହି ପ୍ରକାରର ମକା ୨୦ରୁ ୫୦ ଟଙ୍କାରେ ମିଳିଯାଏ, କିନ୍ତୁ ଛାତ୍ରୀ ଏଥିପାଇଁ ଅନେକ ଗୁଣା ଅଧିକ ପେମେଣ୍ଟ କରିଛନ୍ତି ।
ସ୍ନେହା ନାମ୍ନୀ ଛାତ୍ରୀ ଜାନୁୟାରୀ ୧୧ରେ ଏହି ପୋଷ୍ଟ ସେୟାର କରିଥିଲେ । ସେବେଠାରୁ ଏହା ଭାଇରାଲ ହେଉଛି । ଏ ପର୍ଯ୍ୟନ୍ତ ଏହାକୁ ୧୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ୟୁଜର ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ।
paid rs.525 for this today at one8 commune 😭 pic.twitter.com/EpDaVEIzln
— Sneha (@itspsneha) January 11, 2025