ରିଲ୍ସ କରିବା ହେଲା କାଳ, ୩୦୦ ଫୁଟ୍ ଗଭୀର ଖାଇକୁ ଖସିଲା କାର୍

ଆଜିକାଲି ଯୁବପିଢ଼ିଙ୍କୁ ବାଇଆ କରୁଛି ରିଲ୍ସ ନିଶା । ହାତରେ ମୋବାଇଲ୍ ଥିଲେ ରିଲ୍ସ କରିବାଟା ଥୟ । ଆଉ ତା ସାଙ୍ଗକୁ ଯଦି ରିଲ୍ସ ସୁଟିଂ କରିବା ପାଇଁ ସାଙ୍ଗଟେ ମିଳିଯାଇଛି ତା ହେଲେ ତ କଥା ସରିଲା । ପୂରା ଏକ ଲୟରେ ରିଲ୍ସ କରିବା ପାଇଁ ମାତିଥାଆନ୍ତି ଏହି ଯୁବକ ଯୁବତୀ ମାନେ । ସବୁଠୁ ବଡ଼ କଥା ହେଉଛି ଏହି ରିଲ୍ସ କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇବାକୁ ଟିକେ ବି ପଛଘୁଞ୍ଚା ଦେଉନାହାଁନ୍ତି । ସେ କୁନି ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମାତୁଛନ୍ତି ଏହି ରିଲ୍ସ ରେ ।ଏହି ରିଲ୍ସ ତିଆରି କରିବା ନିଶାରେ ଅନେକ ପ୍ରାଣ ହରାଉଛନ୍ତି । କିନ୍ତୁ ସେମାନେ ବୁଝିପାରୁ ନାହାଁନ୍ତି ଏହି ରିଲ୍ସ ପାଇଁ କେତେ ଯେ ଲୋକଙ୍କର ଜୀବନ ଗଲାଣି ତାହା ଅନୁମାନ ମଧ୍ୟ କେହି କରପାରିବେନି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ନିକଟରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ।
ଯେଉଁ ରିଲ୍ସରେ ଦେଖିବାକୁ ମିଳିଛି ତାଙ୍କ ମୃତ୍ୟୁର ନିଚ୍ଛକ ଦୃଶ୍ୟ । ଏ ଥିଲା ତାଙ୍କ ଜୀବନର ଶେଷ ରିଲ୍ସ ଯାହା କ୍ୟାମେରାରେ କଏଦ ହୋଇଛି । ରିଲ୍ସ କରିଥିବା ଯୁବତୀ ହେଉଛନ୍ତି ଶ୍ୱେତା ଦୀପକ ସୁରବାସେ । ଯାହାଙ୍କ ମୃତ୍ୟୁର ଭିଡିଓ ରେକର୍ଡ ହୋଇଛି । କିପରି କରୁଥିଲେ ରିଲ୍ସ ଆଉ ତାଙ୍କ ଜୀବନ କେମିତି ଶେଷ ହୋଇଛି ତାହା ସବୁ ଏହି ଭିଡିଓରେ ଦେଖିବାକୁ ମିଳିଛି ।
ରିଲ୍ସ ଭିଡିଓ ତିଆରି କରିବା ନିଶାରେ କାର୍କୁ ବ୍ୟାକ୍ କରୁଥିବା ବେଳେ ସେ ବ୍ରେକ୍ ମାରିବା ଭୁଲି ଯାଇଥିଲେ ତାଙ୍କର ଏହି ସାମାନ୍ୟ ଅସାବଧାନତା ଯୋଗୁଁ ତାଙ୍କ ଜୀବନ ନେଇଛି । ଯୁବତୀ ଜଣକ ବ୍ରେକ୍ ମାରିବା ଭୁଲିବା ଫଳରେ ୩୦୦ ଫୁଟ୍ ଗଭୀର ଖାଇକୁ ତାଙ୍କ କାର୍ ଖସି ପଡିଛି । ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଛି ।
ତେବେ ଏହି ଘଟଣାଟି ମହାରାଷ୍ଟ୍ରର ହୋଇଥିବା ଜଣାପଡ଼ିଛି ।୨୩ ବର୍ଷୀୟ ଶ୍ୱେତା ଦୀପକ ସୁରବାସେ ଛତ୍ରପତି ସମ୍ବାଜିନଗର ହନୁମାନନଗରର ବାସିନ୍ଦା ଥିଲେ । ସୋମବାର ଅପରାହ୍ନ ୨ଟାରେ ସେ ଖୁଲତାବାଦ ତାଲୁକା ଅନ୍ତର୍ଗତ ଶୁଲିଭଞ୍ଜନ ଦତ୍ତଧାମ ମନ୍ଦିର ଅଞ୍ଚଳରେ ମୋବାଇଲ୍ ରେ ରିଲ୍ସ ଭିଡିଓ ତିଆରି କରୁଥିଲେ । ଶ୍ୱେତା ତାଙ୍କ ବନ୍ଧୁ ସୁରଜ ସଞ୍ଜୟ ମୁଲେ । ତାଙ୍କ ବୟସ ୨୫ ବର୍ଷ ହେବ । ବନ୍ଧୁଙ୍କ ସହ ଔରଙ୍ଗାବାଦରୁ ଏହି ଅଞ୍ଚଳକୁ ଆସିଥିଲେ । ଆଉ ସେହି ସ୍ଥାନରେ ହିଁ ରିଲ୍ସ ଭିଡିଓ ତିଆରି କରିବା ସମୟରେ ଶ୍ୱେତା ପ୍ରାଣ ହରାଇଛନ୍ତି । ଏହି ପୂରା ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଦୁଃଖ ପ୍ରକାଶ କରିଥିବା ବେଳେ ଅନେକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ।
ଏଇଠି ଆମେ ଏତିକି କହିରଖିବାକୁ ଚାହିଁବୁ ଯେ, ନିଜ ଖୁସି ପାଇଁ ରିଲ୍ସ କରନ୍ତୁ ଏଥିପାଇଁ କେହି ମନା କରୁନାହାଁନ୍ତି । କିନ୍ତୁ ଏହି ରିଲ୍ସ କରିବା ସମୟରେ ଟିକିଏ ସାବଧାନତା ସହ ରିଲ୍ସ କରନ୍ତୁ । ଆମର ଏହି ସାମାନ୍ୟ ଭୁଲ୍ ଯୋଗୁଁ ଘଟିଯାଉଛି ଏତେ ବଡ଼ ଅଘଟଣ । ଯଦି ଟିକିଏ ସତର୍କତା ଅବଲମ୍ବନ କରନ୍ତି ତେବେ ଏପରି ଅଘଟଣରୁ ବର୍ତ୍ତିପାରନ୍ତେ ।