ଗାଁ ଲୋକଙ୍କ ଅସାଧାରଣ କାମ, ଅତ୍ଯାଧୁନିକ କୌଶଳକୁ ଅପେକ୍ଷା ନ କରି ବିଶାଳକାୟ ପଥର ତଳୁ ବଞ୍ଚାଇଲେ ମହିଳାଙ୍କ ଜୀବନ

ଦୁନିଆର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ମଣିଷ। ଆଉ ନିଜର ଦୃଢ ଇଚ୍ଛାଶକ୍ତି ଓ ସାହାସ ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। କୌଣସି ଲକ୍ଷ୍ଯସ୍ଥଳରେ ପହଞ୍ଚିପାରିବ। ଏମିତି ଏକ ମାମଲା ରାଜସ୍ଥାନର କରୋଲିରେ ଦେଖିବାକୁ ମିଳିଛି। ଜଣେ ମହିଳା ବିଶାଳକାୟ ଓଜନର ଏକ ପଥର ଚଟାଣ ତଳେ ଦବି ହୋଇ ରହିଥିଲେ। ତାଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ଏକାଠି ହୋଇଯାଇଥିଲେ ଗାଁ ଲୋକ। ସେମାନେ ନିଜର ଉପସ୍ଥିତ ବୁଦ୍ଧି ଓ ବାହୁବଳରେ ମହିଳାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଆଉ ଗାଁ ଲୋକଙ୍କ ଏପରି କାମ ଯୋଗୁଁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି।
ଘଟଣାଟି କରୋଲିଠାରୁ ୫୫ କିଲୋମିଟର ଦୂର କରଣପୁର ଥାନା ଅଞ୍ଚଳର ଆରୋରା ଗାଁରେ ଦୁଇ ଦିନ ପୂର୍ବେ ସୋମବାର ଦିନ ଘଟିଥିଲା। କୈଲାଦେବୀ ଅଭୟାରଣ୍ୟ ଅଞ୍ଚଳରେ ଥିବା ଏହି ଗାଁର ଲଖୋ ଦେବୀ ମୀନା (୪୨) ଏକ ଖାଦାନର ପଥର ଚଟାଣ ତଳେ ଦବି ଯାଇଥିଲେ। ମହିଳା ଜଣକ ଦୀପାବଳିରେ ନିଜ ଘରର ଅଗଣା ଲିପିବା ପାଇଁ ମାଟି ଆଣିବାକୁ ଯାଇଥିଲେ। ସେ ମାଟି ଖୋଳିବା ସମୟରେ ବଡ ଏକ ପଥର ତାଙ୍କ ଉପରେ ମାଡି ବସିଥିଲା। ସେ ଏହା ତଳେ ଦବି ଯିବା କାରଣରୁ ମହିଳା ଜଣଙ୍କର ଦୁଇହାତ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇଯାଇଥିଲା। ତାଙ୍କର ଚିତ୍କାର ଶୁଣି ଆଖପାଖର ମହିଳାମାନେ ସେଠାରୁ ଦୌଡି ଆସିଥିଲେ ଓ ଗାଁରେ ଯାଇ ସମସ୍ତଙ୍କୁ ଜଣାଇଥିଲେ।
ସୂଚନା ମିଳିବା ମାତ୍ରେ କରଣପୁର ଥାନା ଅଧିକାରୀ କୈଳାଶ ଚନ୍ଦ ବୈରଭା ମଧ୍ୟ ପୋଲିସ ଟିମକୁ ନେଇ ଘଟଣା ସ୍ଥଳରେ ପହଁଞ୍ଚିଥିଲେ। ତେବେ ଗାଁ ଲୋକମାନେ ମଧ୍ୟ ମହିଳାଙ୍କୁ ବଞ୍ଚାଇବା ପାଇଁ ରେସକ୍ୟୁ ଅପରେସନ୍ ଆରମ୍ଭ କରିଦେଇଥିଲେ। ପାଖରେ କ୍ରେନ୍ କିମ୍ବା ଜେସିବି ମେସିନ୍ ଭଳି ଅନ୍ୟ କୌଣସି ପ୍ରକାର ଅତ୍ଯାଧୁନିକ ସମ୍ବଳ ନଥିଲେ ମଧ୍ୟ ନିଜର ବୁଦ୍ଧି ଓ ବାହୁବଳରେ ମହିଳାଙ୍କୁ ବଞ୍ଚାଇ ପାରିଥିଲେ। ପ୍ରଶାସନକୁ ଜଣାଇ ଏସବୁ ଆଣିବା ଭିତରେ ମହିଳାଙ୍କ ଜୀବନ ଚାଲିଯାଇଥାନ୍ତା। ତେବେ ଗାଁ ଲୋକେ ଲୁହା ଶିକୁଳି ମଗାଇ ପଥରକୁ ହଟାଇବାର ଚେଷ୍ଟା କରିଥିଲେ।
୨ ଘଣ୍ଟାର କଠିନ ପରିଶ୍ରମ ପରେ ଗାଁ ଲୋକ ଚେନ୍ ଯୋଗେ ପଥର ଚଟାଣକୁ ହଟାଇ ପାରିଥିଲେ। ଏହାପରେ ମହିଳାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନିଆଯାଇଥିଲା। ମହିଳାଙ୍କ ଦୁଇ ହାତ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତାଙ୍କୁ ଜୟପୁରକୁ ପଠାଇ ଦିଆଯାଇଥିଲା। ଜୟପୁରର ହସ୍ପିଟାଲରେ ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ବାମ ହାତକୁ କହୁଣୀଠାରୁ କାଟିବାକୁ ପଡିଥିଲା। ଏବେ ଡାହଣ ହାତର ସ୍ଥିତି ମଧ୍ୟ ଖୁବ୍ ଗୁରୁତର ରହିଛି। ମହିଳାଙ୍କ ଚିକିତ୍ସା ଜାରି ରହିଛି।