ପର ପୁରୁଷ ପାଇଁ ସ୍ବାମୀର କିଡନୀ ବିକିଲା ସ୍ତ୍ରୀ, ଟଙ୍କା ମିଳିବା ପରେ ଛୁ ମାରିଲା

ପ୍ରେମିକର ପ୍ରେମ ପାଗଳ କଲା । ସ୍ବାମୀ ସହ ରହିବାକୁ ସ୍ତ୍ରୀର ଆଦୌ ଇଚ୍ଛା ନଥିଲା । ସ୍ବାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ । କିନ୍ତୁ ପାଖରେ ଟଙ୍କା ନଥିଲା । ତେଣୁ ସ୍ତ୍ରୀ ମୁଣ୍ଡରେ ପଶିଲା ଖଳ ବୁଦ୍ଧି । ସ୍ବାମୀକୁ କିଡନୀ ବିକିବା ପାଇଁ ବାଧ୍ୟ କଲା ସ୍ତ୍ରୀ । ଆଉ କିଡନୀ ବିକିବା ପରେ ଯେଉଁ ଟଙ୍କା ଆସିଲା ତାକୁ ନେଇ ଘରୁ ଫେରାର ହୋଇଗଲା ସ୍ତ୍ରୀ ।

ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ତାଙ୍କର କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ । କିଡନୀ ବିକିବାକୁ ସ୍ବାମୀ ବି ରାଜି ହୋଇଥିଲେ । କାହିଁକି ନା କିଡନୀ ବିକିବା ପରେ ଯେଉଁ ଟଙ୍କା ଆସବ ସେଥିରେ ଝିଅର ପାଠ ପଢ଼ା ହୋଇ ପାରିବ ଏବଂ ପରିବାରର ଆର୍ଥିକ ଅବସ୍ଥା ଠିକ ହୋଇଯିବ । କିନ୍ତୁ କିଡନୀ ବିକ୍ରି କରି ଟଙ୍କା ଆଣିବା ପରେ ସବୁ କିଛି ଓଲଟା ହୋଇଗଲା । ମହିଳା ଜଣକ ପ୍ରେମିକ ସହ ଫେରାର ହେବା ପାଇଁ ପୂର୍ବରୁ ହିଁ ପ୍ଲାନ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ କିଡନୀ ବିକ୍ରି କରିବାକୁ ରାଜି କରାଇଲେ ଏବଂ ପରେ ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ପଳାଇଥିଲେ ।

ସାଙ୍କରିଆଲ ଅଞ୍ଚଳରେ ମହିଳା ଗତ ବର୍ଷେ ଧରି ସ୍ବାମୀର କିଡନୀ ବିକ୍ରି କରିବା ପାଇଁ ସ୍ବାମୀଙ୍କ ଉପରେ ଲଗାତାର ଚାପ ପକାଇ ଆସୁଥିଲେ । ୧୨ ବର୍ଷର ଝିଅକୁ ଏକ ଭଲ ସ୍କୁଲରେ ଭର୍ତ୍ତି କରାଇବା ପାଇଁ ଏବଂ ଘରକୁ ଠିକ ଭାବେ ଚଳାଇବା ପାଇଁ ସ୍ୱାମୀକୁ କିଡନୀ ବିକିବା ପାଇଁ ବାଧ୍ୟ କରିଥିଲେ ସ୍ତ୍ରୀ । ସ୍ତ୍ରୀ କଥାରେ ବିଶ୍ୱାସ କରି ୧୦ ଲକ୍ଷ ଟଙ୍କାରେ ସ୍ବାମୀ ନିଜ କିଡନୀ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ । ସ୍ୱାମୀ ଜଣକ ଗତ ମାସରେ ଅସ୍ତ୍ରୋପଚାର କରିଥିଲେ ।

ଅସ୍ତ୍ରୋପଚାର ପରେ, ସ୍ୱାମୀ ଘରକୁ ଫେରି ଆସିଲେ ଏବଂ ଘରକୁ ୧୦ ଲକ୍ଷ ନଗଦ ଟଙ୍କା ମଧ୍ୟ ଆଣିଲେ । ପରେ ସ୍ତ୍ରୀ ସ୍ବାମୀକୁ ବିଶ୍ରାମ ନେବାକୁ କହିଥିଲେ ଏବଂ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ହଠାତ ଦିନେ ଘରୁ ନିଖୋଜ ହୋଇଗଲେ ମହିଳା । ସ୍ତ୍ରୀ ନିଖୋଜ ହେବା ପରେ ସ୍ୱାମୀ ବହୁତ ଖୋଜିଲେ । କିନ୍ତୁ ଆଲମାରୀ ଖୋଲି ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ଆଲମାରୀରେ ରଖାଯାଇଥିବା ସମସ୍ତ ଟଙ୍କା ଗାଏବ ଥିଲା । ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ସହାୟତାରେ ମହିଳା ଜଣକ କୋଲକାତାର ବାରାକପୁର ଅଞ୍ଚଳରେ ଠାବ ହୋଇଥିଲେ । ଯେଉଁଠାରେ ସେ ତାଙ୍କ ପ୍ରେମିକଙ୍କ ସହ ରହୁଥିଲେ ।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ସୋସିଆଲ ମିଡିଆରେ ଭେଟିଥିବା ତାଙ୍କ ପ୍ରେମିକ ସହ ସମ୍ପର୍କରେ ଥିଲେ । ଆଉ ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ଧୋକା ଦେଇଥିଲେ ମହିଳା । ଅନ୍ୟପଟେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ନିଜର ସଞ୍ଚୟ ଟଙ୍କା ନେଇଛନ୍ତି । ପୋଲିସ ଏହି ମାମଲାରେ ଏକ ଅଭିଯୋଗ ରୁଜୁ କରିଛି । ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ପଚରାଉଚରା କରାଯିବ । ପୋଲିସ ଘଟଣା ସହିତ ଜଡିତ ଭିଡିଓ ଫୁଟେଜକୁ ମଧ୍ୟ ଯାଞ୍ଚ କରିବା ଆରମ୍ଭ କରିଛି । ତେବେ ଦେଖିବାକୁ ବାକି ରହିଲା ଯେ ଏହି ମାମଲାରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।