ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମହିଳା ହେଲେ ଗର୍ଭବତୀ, କେମିତି ହେଲା ଜାଣିପାରୁନାହାନ୍ତି କର୍ତ୍ତୃପକ୍ଷ

ଗର୍ଭବତୀ ହେଲେ ଜେଲ୍‌ରେ ସଜା କାଟୁଥିବା କଏଦୀ। ଜେଲରେ ଆଜୀବନ କାରା ଦଣ୍ଡ ଭୋଗୁଥିବା ଜଣେ ମହିଳା କଏଦୀ ଗର୍ଭବତୀ ହେବା ଘଟଣା ପୂରା ଜେଲ୍‌କୁ ଦୋହଲାଇ ଦେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସତନା ଠାରେ। ତେବେ ଜେଲ୍‌ର କଡ଼ା ସୁରକ୍ଷା ଭିତରେ ମହିଳା କଏଦୀ ଜଣକ ଗର୍ଭଧାରଣ କଲେ କେମିତି, ଏବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଜେଲ୍‌ କର୍ତ୍ତୃପକ୍ଷ ଏନେଇ ଯାଞ୍ଚ ଆରମ୍ଭ କରିଛନ୍ତି। ଜେଲ ପ୍ରଶାସନ କହିଛି ଯେ ମହିଳା କିଛି ଦିନ ଜାମିନ୍‌ରେ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଗର୍ଭଧାରଣ କରିଥାଇପାରନ୍ତି। କିନ୍ତୁ ଏବେ ଯାଏଁ ପ୍ରକୃତ ସତ ପଦାକୁ ଆସିନାହିଁ।

ନିକଟରେ ସତନା ଜେଲରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା। ଏ ଅବସରରେ ଉଭୟେ ମହିଳା ଓ ପୁରୁଷ କଏଦୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଶିବିରରେ ଜଣେ ମହିଳା କଏଦୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଅଭିଯୋଗ କରିଥିଲେ । ଏଥିପାଇଁ ତାଙ୍କର ସୋନୋଗ୍ରାଫି କରାଯାଇଥିଲା। ରିପୋର୍ଟରେ ଜଣାପଡ଼ିଥିଲା ଯେ ମହିଳା ଜଣକ ଗର୍ଭବତୀ ଅଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଜେଲ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।

ସତନା ଜେଲ ପ୍ରଶାସନଙ୍କ ମୁତାବକ, ମହିଳା କଏଦୀଙ୍କ ବିରୋଧରେ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା ଉଦ୍ୟମର ଅଭିଯୋଗ ରହିଛି। ୨୦୧୬ରୁ ହିଁ ତାଙ୍କ ବିରୋଧରେ ଶୁଣାଣି ଚାଲିଛି। ମହିଳାଙ୍କ ଘର ଖଜୁରାହୋଠାରେ। ୨୮ ଫେବ୍ରୁଆରୀ ୨୦୨୨ରେ ତାଙ୍କୁ ଛତରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ମାର୍ଚ୍ଚ ୧୨ରେ ସତନା ଜେଲ୍‌କୁ ଅଣାଯାଇଥିଲା। ଏ ଅବସରରେ ସେ କିଛି ଦିନ ଜାମନ୍‌ରେ ଯାଇଥିଲେ। ଏହି ସମୟରେ ହିଁ ସେ ଗର୍ଭଧାରଣ କରିଛନ୍ତି। କାରଣ ଯାଞ୍ଚରେ ସେ ୫ ସପ୍ତାହର ଗର୍ଭବତୀ ଥିବା ଜଣାପଡ଼ିଛି ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

Also Read: ଗଙ୍ଗୁବାଇ ପରେ ଆର୍‌ଆର୍‌ଆର୍‌ ବି ହିଟ୍‌, ଆଲିଆ ଭଟ୍ଟ ବନିଗଲେ ବି-ଟାଉନ୍‌ର ସବୁଠୁ ଦାମୀ ହିରୋଇନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.