ରେଲୱେ ଷ୍ଟେସନରେ ଖୋଲିଲା ସୁଟକେସର ସିକ୍ରେଟ୍, ଖସି ପଳାଉଥିବା ବାପଝିଅଙ୍କୁ ଗିରଫ କଲା ପୋଲିସ

ତାମିଲନାଡ଼ୁର ମିଞ୍ଜୁର ରେଲୱେ ଷ୍ଟେସନରେ ଗତ ମଙ୍ଗଳବାର ରାତିରେ ଏକ ଛାତିଥରା ଘଟଣା ଘଟିଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଜଣେ ବ୍ୟକ୍ତି ଏଠାରେ ଏକ ବଡ଼ ସୁଟକେସ୍ ଛାଡ଼ି ପଳାଉଥିବାର ଦେଖି ଲୋକମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଆଉ ଏହାପରେ ଯାହା ହୋଇଥିଲା, ତାହା ଅତି ଭୟାନକ୍ ଥିଲା ।
ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ କାବୁ କରିଥିଲା । ତାଙ୍କ ଦ୍ୱାରା ସୁଟକେସ୍ ଖୋଲାଯିବା ପରେ ସେଠାରେ ଥିବା ପୋଲିସ ଏବଂ ସାଧାରଣ ଲୋକଙ୍କ ହୋଶ୍ ଉଡ଼ିଯାଇଥିଲା । କାରଣ, ସୁଟକେସ୍ ଭିତରେ ଥିଲା ଜଣେ ୬୫ ବର୍ଷୀୟା ମହିଳାଙ୍କ ମୃତଦେହ । ରମାଣି ନାମ୍ନୀ ମହିଳା ବ୍ୟକ୍ତିଙ୍କର ପଡ଼ୋଶୀ ଥିଲେ ।
ରେଲୱେ ପୋଲିସ ବୁଧବାର କହିଛି ଯେ ବ୍ୟକ୍ତି ଏବଂ ତାଙ୍କର କିଶୋରୀ ଝିଅ ପଡ଼ୋଶୀ ମହିଳାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଷ୍ଟେସନର ଏକ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇଯିବାକୁ ଚେଷ୍ଟା କରୁଥିଲେ । ହେଲେ ଏହି ସମୟରେ ପୋଲିସ ପହଞ୍ଚି ସେମାନଙ୍କୁ ଧରିଥିଲା । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ତାଙ୍କ ନାଁ ବାଲାସୁବ୍ରମଣ୍ୟମ୍ ।
ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ତାଙ୍କୁ ରିମାଣ୍ଡରେ ନିଆଯାଇଥିବା ପୋଲିସ କହିଛି । ବାଲାସୁବ୍ରମଣ୍ୟମ୍ ଓ ତାଙ୍କ ଝିଅ ପଡ଼ୋଶୀଙ୍କ ମୃତଦେହକୁ ଚେନ୍ନାଇରେ ଫିଙ୍ଗିବା ପାଇଁ ଯୋଜନା କରିଥିଲେ । ସୁନା ଅଳଙ୍କାର ପାଇଁ ମହିଳାଙ୍କୁ ସେମାନେ ମାରିଥିବା ପୋଲିସ କହିଛି ।
ସୂଚନା ମୁତବାକ, ୪୩ ବର୍ଷୀୟ ବାଲାସୁବ୍ରମଣ୍ୟମ୍ ଓ ତାଙ୍କ ୧୭ ବର୍ଷୀୟା ଝିଅ ଏକ ବଡ଼ ସୁଟକେସ ନେଇ ମିଞ୍ଜୁର ଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ସେମାନେ ସୁଟକେସକୁ ଫ୍ଲାଟଫର୍ମରେ ଛାଡ଼ି ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ହେଲେ ଏହି ସମୟରେ ସେମାନେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।