ମଧ୍ୟପ୍ରଦେଶରେ ଶ୍ରଦ୍ଧା ୱାକର ଭଳି ହତ୍ୟାକାଣ୍ଡ, ଲିଭ-ଇନ ପାର୍ଟନରକୁ ମାରି ୧୦ ମାସ ଧରି ଫ୍ରିଜରେ ରଖିଥିଲା ପ୍ରେମିକ

ମଧ୍ୟପ୍ରଦେଶର ଦେବାସରେ ଶ୍ରଦ୍ଧା ୱାକର ଭଳି ହତ୍ୟାକାଣ୍ଡ । ଜଣେ ଯୁବକ ୧୦ ମାସ ପୂର୍ବରୁ ଲିଭ-ଇନ ପ୍ରେମିକାକୁ ହତ୍ୟା କରି ଘରେ ଫ୍ରିଜରେ ରଖିଥିଲା । ସହରର ବିଜୁଳି ଗାଏବ ହେବା ପରେ ରୁମରୁ ଦୁର୍ଗନ୍ଧ ଆସିବାରୁ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାର ଯାଞ୍ଚ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଏହାସହିତ ପୋଲିସ ମାମଲାରେ ବଡ ଖୁଲାସା ମଧ୍ୟ କରିଛି ।

ଘଟଣା ଅନୁଯାୟୀ, ଇନ୍ଦୋର ବାସିନ୍ଦା ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଘରେ ୨୦୨୩ ଜୁନ୍ ମାସରୁ ଭଡ଼ାରେ ରହୁଥିଲେ ସଞ୍ଜୟ ପଟିଦାର ଏବଂ ପିଙ୍କି ଓରଫ ପ୍ରତିଭା ପ୍ରଜାପତି । ଜୁନ୍ ୨୦୨୪ରେ ସଞ୍ଜୟ ଘର ଖାଲି କରିଦେଇଥିଲେ, ହେଲେ କିଛି ଜିନିଷ ଏକ ରୁମରେ ଛାଡିଯାଇଥିଲେ । ସେହି ରୁମରେ ଏକ ଫ୍ରିଜ୍ ମଧ୍ୟ ରହିଥିଲା । ପରେ ଘର ମାଲିକ ବଲବୀର ସିଂହଙ୍କ ନାମକ ଜଣେ ବ୍ୟକ୍ତି ଘର ଭଡ଼ାରେ ଦେଇଥିଲେ ।

ତେବେ ସହରର କରେଣ୍ଟ କଟିଯାଇଥିବା ବେଳେ ସେଠାରେ ରହୁଥିବା ବଲବୀରଙ୍କୁ ରୁମରୁ ଦୁର୍ଗନ୍ଧ ଆସିଥିଲା । ଯାହା ପରେ ସେ ଘର ମାଲିକଙ୍କୁ ସୂଚନା ଦେଇଥିଲେ । ଘର ମାଲିକ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୁମର ତାଲା ଭାଙ୍ଗି ଫ୍ରିଜକୁ ଖୋଲିଥିଲା । ଏହାପରେ ପୋଲିସ ଯାହା ଦେଖିଥିଲା ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ପୋଲିସ କହିବା ମୁତାବକ, ପ୍ରେମିକା ସହିତ ୫ ବର୍ଷ ଧରି ଲିଭ୍-ଇନରେ ରହୁଥିଲା ପ୍ରେମିକ ସଂଜୟ । ୩ ବର୍ଷ ଯାଏଁ ପ୍ରେମିକାକୁ ଉଜୈନରେ ରଖିବା ପରେ ଦୁଇ ବର୍ଷ ପୂର୍ବେ ଦେବାସକୁ ନେଇ ଆସିଥିଲେ ସଂଜୟ । ଦେବାସରେ ଭଡ଼ା ଘର କରି ରଖୁଥିଲେ । ପ୍ରେମିକା ଜଣକ ବିବାହ କରିବାକୁ ଚାପ ପକାଉଥିଲେ । ଫଳରେ ଏମିତି ପଦକ୍ଷେପ ନେଇଥିଲା ପ୍ରେମିକ । ପ୍ରେମିକାକୁ ୨୦୨୪ ମାର୍ଚ୍ଚରେ ହତ୍ୟା କରିବା ପରେ ମୃତଦେହକୁ ଫ୍ରିଜରେ ରଖିଥିଲା ପ୍ରେମିକ ।

ତେବେ ସଂଜୟ ନିଜ ସାଙ୍ଗ ସହିତ ରଚିଥିଲା ହତ୍ୟା ଷଡଯନ୍ତ୍ର । ମାର୍ଚ୍ଚ ୨୦୨୪ରେ ଭଡ଼ା ଘରେ ଗଳା ଚାପି ହତ୍ୟା କରିବା ପରେ ଫ୍ରିଜରେ ରଖିଥିଲା । ଏହାପରେ ଫ୍ରିଜକୁ କପଡାରେ ଘୋଡାଇ ଦେବା ପରେ ରୁମକୁ ଲକ୍ କରିଦେଇଥିଲା । ପୋଲିସ ଫ୍ରିଜରୁ ଜଣେ ଯୁବତୀଙ୍କ ମୃତଦେହକୁ ଜବତ କରିଥିଲା । ମୃତଦେହଟି ସଂପୂର୍ଣ୍ଣ ଭାବେ କଳା ପଡିଯାଇଥିଲା ।  ପୋଲିସ ଏହି ମାମଲାରେ ପଡୋଶୀଙ୍କୁ ପଚରାଉଚରା କରିଥିଲା । ପଡୋଶୀଙ୍କ କହିବା ମୁତାବକ, ପ୍ରତିଭା ଓରଫ ପିଙ୍କିକୁ ମାର୍ଚ୍ଚ ୨୦୨୪ରେ ପରେ କେହି ଦେଖିନଥିଲେ ବୋଲି କହିଥିଲେ । ସଂଜୟଙ୍କୁ ପଡୋଶୀ ପଚାରିବାରୁ ସେ ବାପ ଘରକୁ ଯାଇଥିବା କହିଥିଲେ ।ପଡୋଶୀଙ୍କ ଠାରୁ ପଚରାଉଚରା କରି ପୋଲିସ ଟିମ୍ ସଂଜୟ ପାଟିଦାରଙ୍କୁ ଧରିବା ପାଇଁ ଉଜୈନ ପହଞ୍ଚି ଗିରଫ କରିଥିଲା ।

ସୂଚନାଯୋଗ୍ୟ, ୨୦୨୨ରେ ମଇ ୧୮ରେ ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ଲିଭ୍-ଇନ ପାର୍ଟନର ଆଫତାବ ପୁନେଓ୍ବାଲା ଏଭଳି ହତ୍ୟା କରିଥିଲା । ଶ୍ରଦ୍ଧାଙ୍କୁ ୩ ସପ୍ତାହ ଯାଏଁ ଫ୍ରିଜରେ ରଖିଥିଲା ଆଫତାବ । ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା । ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା । ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା ।