ଲାପଟପ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ବାଥରୁମରୁ ମିଳିଲା ୩୦ ବର୍ଷୀୟ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶରୀର

ଲାପଟପ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ ମହିଳା। ବାଥରୁମରେ ଥିବା ବେଳେ ଲାଗିଗଲା ନିଆଁ । ପୋଡିହୋଇ ଚାଲିଗଲା ୩୦ ବର୍ଷୀୟ ଯୁବତୀଙ୍କ ଜୀବନ। ଦିଲ୍ଲୀରେ ଲାପଟପ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ।

ଦିଲ୍ଲୀର ଦିନଲପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାନ୍ଦ ବାଗରେ ଥିବା ଏକ ଲାପଟପ୍ ବ୍ୟାଟେରୀ କାରଖାନାରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ ଏଠାରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ପ୍ରାୟ ତିନି ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଉତ୍ତର ପୂର୍ବ ଦିଲ୍ଲୀ ପୋଲିସ ସୂଚନା ମୁତାବକ, ମଇ ୬ ତାରିଖ ଦିନ ପ୍ରାୟ ସାଢେ ତିନିଟା ବେଳେ ଦିନଲପୁର ପୋଲିସ ଷ୍ଟେସନକୁ ଏକ କଲ ଆସିଥିଲା । ଜଣେ ଯୁବକ କଲ୍‌ କରି ଚାନ୍ଦ ବାଗରେ ଇ –୯ ବିଲ୍ଡିଂର ତଳ ମହଲାରେ ନିଆଁ ଲାଗିଯାଇଛି । ଏଠାରେ ଲାପଟପ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରି ରହିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, କାବୁ ପାଇବାକୁ ୩ ଘଣ୍ଟା ସମୟ ଲାଗିଥିଲା ।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରିଛନ୍ତି। ମହିଳା ଜଣକଙ୍କ ନାମ ମାୟା, ସ୍ୱାମୀଙ୍କ ନାମ ଗୋବିନ୍ଦ ରାମ । ସେ ବି-୩୫୦, ଗୋକୁଳପୁରୀ, ଦିଲ୍ଲୀରେ ରହୁଛନ୍ତି । ଦଗ୍ଧ ହୋଇଥିବା ମହିଳାଙ୍କ ବୟସ ୩୦ ବର୍ଷ । ମହିଳାଙ୍କ ଜଳନ୍ତା ମୃତଦେହ ବେସମେଣ୍ଟର ବାଥରୁମରୁ ମିଳିଛି । ପୋଲିସ ମୃତଦେହକୁ ଜିଟିବି ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମହିଳା ଜଣଙ୍କ ଫ୍ୟକ୍ଟ୍ରିରେ କାମ କରୁଥିଲେ ବୋଲି ଜଣାପଡିଛି । ଘଟଣାକୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି। ପୋଲିସ ୩୦୪ ଏ ଆଇପିସି ଅଧୀନରେ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚଳାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

Leave A Reply

Your email address will not be published.