ତାଲିବାନ: ନେଲ୍ ପଲିସ୍ ଲଗାଇଲେ କଟା ହେବ ଆଙ୍ଗୁଠି, ଜିନ୍ସ ପିନ୍ଧିଲେ ନିର୍ଦ୍ଧୁମ ମାଡ଼

କାବୁଲ: ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ନୂଆ ନୂଆ ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ‘ପରିବର୍ତ୍ତନ’ କହୁଥିବା ତାଲିବାନ୍ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି । ତାଲିବାନ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍ ପଲିସ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଏହାକୁ ନ ମାନିବେ, ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ ବୋଲି ଆତଙ୍କବାଦୀମାନେ ସ୍ପଷ୍ଟ ଭାବେ କହିଛନ୍ତି । ନିକଟରେ ଜିନ୍ସ ପିନ୍ଧିବା କାରଣରୁ କିଛି ଯୁବପିଢ଼ିଙ୍କୁ ଅତି ନିର୍ମମ ଭାବେ ମାଡ ମରାଯାଇଥିଲା ।

ରିପୋର୍ଟ ମୁତାବକ, ଜଣେ ଆଫଗାନିସ୍ତାନ ପିଲା ତାଲିବାନର ନିଷ୍ଠୁରତାକୁ ପ୍ରକାଶ କରିଥିଲେ ଓ ଜିନ୍ସ ପିନ୍ଧିବାରୁ ସାଙ୍ଗମାନଙ୍କ ସମେତ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥିଲା ବୋଲି କହିଥିଲେ । ବାଳକ ଜଣକ କହିଥିଲେ ଯେ, ସେ କାବୁଲରେ ନିଜ ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ । ସେହି ସମୟରେ ତାଲିବାନୀ ଯୁବକ ସେମାନଙ୍କୁ ଅଟକାଇଥିଲେ । ଜିନ୍ସକୁ ଇସଲାମରେ ଅସମ୍ମାନ ବୋଲି କହି ସେମାନଙ୍କୁ ମାଡ ମାରିଥିଲେ ଓ ବନ୍ଧୁକ ଦେଖାଇ ସେମାନଙ୍କୁ ପୁନର୍ବାର ଏପରି ଭୁଲ ନକରିବାକୁ ଧମକ ଦେଇଥିଲେ ।

ସେହିପରି ଜଣେ ସାମ୍ବାଦିକ ପାରମ୍ପରିକ ଆଫଗାନି ପୋଷାକ ନପିନ୍ଧିଥିବାରୁ ତାଙ୍କୁ ମାଡ ମରାଯାଇଥିଲା । ଏହା ସହ କନ୍ଦାହାରରେ ମହିଳା ଓ ଯୁବତୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ତାଲିବାନ୍ । ଏଥିରେ ନେଲ୍ ପଲିସ୍ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ଏପରି କେହି କରନ୍ତି, ତେବେ ସେମାନଙ୍କ ଆଙ୍ଗୁଠି କାଟିଦିଆଯିବ । କେବଳ ଏତିକି ନୁହେଁ, ମହିଳାଙ୍କୁ ହିଲ୍ ଥିବା ଚପଲ ପିନ୍ଧିବା ମନା ହୋଇଛି, ଯାହାଫଳରେ ତାଙ୍କ ପାଦ ଶବ୍ଦ କୌଣସି ଅଜଣା ବ୍ୟକ୍ତି ଶୁଣିପାରିବେ ନାହିଁ ।

ତେବେ ତାଲିବାନୀମାନେ ରାସ୍ତାରେ ବୁଲି ବୁଲି ଲୋକଙ୍କୁ ଡରାଇବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଯୁବତୀଙ୍କୁ ଅପହରଣ କରି ବାହାର ଦେଶରେ ବିକ୍ରି କରାଯାଇଛି ଓ କେତେକ ଆତଙ୍କବାଦୀ ଯୁବତୀଙ୍କୁ ଜବରଦସ୍ତ ବିବାହ କରିଛନ୍ତି । ଏହି କାରଣର ଅଧିକାଂଶ ମହିଳା ଦେଶ ଛାଡି ଚାଲିଯିବାକୁ ଚାହୁଁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.