ଜଣେ ୪୪ ବର୍ଷ ବୟସ୍କା ମହିଳା ଇ-ସିମ୍ ଠକେଇର ଶିକାର ହୋଇଛନ୍ତି । ସେ ପ୍ରାୟ ୨୭ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଏନେଇ ନୋଏଡା ସେକ୍ଟର ୩୬ , ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ସେକ୍ଟର ୮୨ର ବାସିନ୍ଦା ଜ୍ୟୋସ୍ନା ଭାଟିଆ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ପୋଲିସ କହିବା ଅନୁସାରେ ଅଗଷ୍ଟ ୩୧ରେ ଏକ ଟେଲିକମ୍ କମ୍ପାନୀର ଜଣେ ଗ୍ରାହକ ସେବା ଅଧିକାରୀ ତାଙ୍କୁ ହ୍ୱାଟସ୍ ଆପରେ କଲ କରିଥିଲେ। ଉକ୍ତ ସାଇବର ଠକ ତାଙ୍କୁ ଇ-ସିମ୍ ର ନୂଆ ଫିଚର ବିଷୟରେ କହିଥିଲା ଏବଂ କହିଥିଲା ଯଦି ତାଙ୍କ ଫୋନ୍ ହଜିଯାଏ ତେବେ ସେ ଇ-ସିମ୍ କୁ ଆକ୍ଟିଭ୍ କଲେ ତାଙ୍କ ଫୋନ ମିଳିଯିବ । ଅଭିଯୁକ୍ତ ମହିଳାଙ୍କୁ ସିମ୍ ଆବେଦନରେ ଇ-ସିମ୍ ଫିଚର ବାଛିବା ପରେ ମେସେଜରେ ଆସିଥିବା କୋଡ୍ କୁ ଏଣ୍ଟ୍ରି କରିବାକୁ କହିଥିଲେ। ସେ ଅଭିଯୁକ୍ତଙ୍କ କଥା ମାନିବା ପରେ ତାଙ୍କ ମୋବାଇଲ୍ ନମ୍ବର ତୁରନ୍ତ ଡିଆକ୍ଟିଭେଟ୍ ହୋଇଥିଲା ।
ସେପ୍ଟେମ୍ବର ୧ରେ ଏକ ନୂଆ ସିମ୍ କାର୍ଡ ଦିଆଯିବ ବୋଲି ଭାଟିଆଙ୍କୁ କହିଥିଲା ଅଭିଯୁକ୍ତ । କିନ୍ତୁ ସେପ୍ଟେମ୍ବର ୧ରେ ସିମ୍ କାର୍ଡ ନମିଳିବାରୁ ସେ କଷ୍ଟମର କେୟାରକୁ କଲ୍ କରିଥିଲେ ଏବଂ ଡୁପ୍ଲିକେଟ୍ ସିମ୍ ପାଇଁ ସେବା କେନ୍ଦ୍ରକୁ ଯିବାକୁ କୁହାଯାଇଥିଲା ।
ରିପୋର୍ଟ ଅନୁଯାୟୀ ତିନି ଦିନ ପରେ ଭାଟିଆଙ୍କୁ ଏକ ନୂଆ ସିମ୍ ମିଳିଥିଲା, କିନ୍ତୁ ତାଙ୍କ ବ୍ୟାଙ୍କରୁ ଅନେକ ମେସେଜ୍ ଆସିଥିଲା । ମେସେଜରେ ତାଙ୍କ ଆକାଉଣ୍ଟାରୁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବା ଜଣା ପଡ଼ିଥିଲା । ଉକ୍ତ ଅଭିଯୁକ୍ତ ମହିଳାଙ୍କର ସମସ୍ତ ଜମା ପୁଞ୍ଜିକୁ ଉଠାଇନେବା ସହ ତାଙ୍କ ନାଁରେ ୭.୪୦ ଲକ୍ଷ ଟଙ୍କାର ଋଣ ନେଇଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଛି ।