କେରଳ ବନ୍ୟାରେ ଜୀବେଦୟାର ଦୃଷ୍ଟାନ୍ତ : କୁକୁରଙ୍କ ବିନା ଘର ଛାଡ଼ିଲେ ନାହିଁ ମହିଳା

କୋଚି : ବର୍ଷା ଓ ବନ୍ୟା ବିତ୍ପାତରେ ବେହାଲ କେରଳ । ସେନା ଲାଗିଛି ଉଦ୍ଧାର କାର୍ଯ୍ୟରେ । ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ଥଇଥାନ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯେଉଁଠି ନିଜ ଜୀବନ ବଞ୍ଚାଇବାକୁ ଲୋକେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ସେଠି କିନ୍ତୁ ଘଟିଛି ମାନବିକତାର ଏକ ଦୃଷ୍ଟାନ୍ତମୂଳକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଥ୍ରିସୁରରେ ଜଣେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଯେତେବେଳେ ସ୍ୱେଚ୍ଛାସେବୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଲେ, ଦେଖିଲେ ସେତେବେଳକୁ ସାରା ଘର ବନ୍ୟା ପାଣିରେ ବୁଡ଼ି ରହିଥିଲା ।

ସୁନୀତା ନାମ୍ନୀ ମହିଳା ଏବଂ ତାଙ୍କ ସ୍ୱାମୀ ଖଟ ଉପରେ ବସିଥିଲେ । ତାଙ୍କ ସହିତ ଥିଲେ କୁକୁର ସବୁ । ଉଦ୍ଧରକାରୀ ଦଳ ସୁନୀତା ଏବଂ ତାଙ୍କ ସ୍ୱାମୀଙ୍କୁ କହିଥିଲେ କୁକୁରଙ୍କୁ ଛାଡ଼ି ସେମାନଙ୍କ ସାଙ୍ଗରେ ଚାଲି ଆସିବା ପାଇଁ । କାରଣ କୁକରଙ୍କୁ ସାଙ୍ଗରେ ନେବା ସମ୍ଭବ ନୁହେଁ । ହେଲେ ସେମାନେ ଯେତେ କାକୁତି ମିନତି କଲେ ମଧ୍ୟ ସୁନୀତା ଶୁଣିନଥିଲେ । ଜୀବନ ପଛେ ଯାଉ ସେ କୁକରଙ୍କୁ ଛାଡ଼ି ଯାଇ ପାରିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଲେ ସୁନୀତା ।

ଶେଷରେ ତାଙ୍କ ଜିଦ୍‌ ରହିଥିଲା ଓ ୨୫ଟି କୁକୁର ସହ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏମାନଙ୍କ ଭିତରେ କିଛି ପୋଷା ଏବଂ ଆଉ କିଛି ବୁଲା କୁକର ଥିଲେ । ସେମାନେ ଏବେ ଏକ ସେଲଟର ହୋମରେ ଅଛନ୍ତି । ହ୍ୟୁମାନ ସୋସାଇଟି ଇଣ୍ଟରନେସନାଲ ସଦସ୍ୟ ଏହି ଖବର ପାଇଛନ୍ତି । ବନ୍ୟା ଛାଡ଼ିରେ ସୁନୀତାଙ୍କ କୁକୁରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।