ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ, ବଢ଼ୁଛି ଖାଦ୍ୟ ସଂକଟର ବିପଦ
ଆଗକୁ ଦୁର୍ଭିକ୍ଷ ପଡ଼ିବ । ଏମିତି ଚେତାବନୀ ଦେଲାଣି ଜଳବାୟୁ ପରିବର୍ତ୍ତନ । ଉତ୍ତପ୍ତ ଜଳବାୟୁ, ଯୁଦ୍ଧ ଏବଂ ରପ୍ତାନୀ ବନ୍ଦ ବିଶ୍ୱରେ ଖାଦ୍ୟାଭାବ ସୃଷ୍ଟି କରିବ। ଅତ୍ୟଧିକ ତାତି ଯୋଗୁଁ ଆମେରିକାରୁ ଚୀନ ପର୍ଯ୍ୟନ୍ତ ଚାଷ ପ୍ରଭାବିତ ହୋଇଛି।

ପୃଥିବୀକୁ ମରୁଡ଼ି ଗ୍ରାସୁଛି, ବଢ଼ୁଛି ଖାଦ୍ୟ ସଂକଟର ବିପଦ । ଆଗକୁ ଦୁର୍ଭିକ୍ଷ ପଡ଼ିବ । ଏମିତି ଚେତାବନୀ ଦେଲାଣି ଜଳବାୟୁ ପରିବର୍ତ୍ତନ । ଉତ୍ତପ୍ତ ଜଳବାୟୁ, ଯୁଦ୍ଧ ଏବଂ ରପ୍ତାନୀ ବନ୍ଦ ବିଶ୍ୱରେ ଖାଦ୍ୟାଭାବ ସୃଷ୍ଟି କରିବ। ଅତ୍ୟଧିକ ତାତି ଯୋଗୁଁ ଆମେରିକାରୁ ଚୀନ ପର୍ଯ୍ୟନ୍ତ ଚାଷ ପ୍ରଭାବିତ ହୋଇଛି। ତେଣୁ ଖାଦ୍ୟଶଶ୍ୟ, ଫଳ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ହ୍ରାସ ପାଇଛି।
ଫଳରେ ପୁଣି ଥରେ ଖାଦ୍ୟ ଯୋଗାଣ ବିପଦ ବଢ଼ିଛି। ଦେଶରେ ଚାଉଳ ଦର ନିୟନ୍ତ୍ରଣ ପାଇଁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଛି ଭାରତ। ବ୍ଲାକ ସି ଦେଇ ଖାଦ୍ୟଶଶ୍ୟ ରପ୍ତାନୀ ଡିଲରୁ ଓହରି ଯାଇଛି ରୁଷିଆ। ଯାହା ବିଶ୍ୱ ବଜାରକୁ ପ୍ରଭାବିତ କରିବ। ତେବେ ସବୁଠୁ ବଡ଼ ବିପଦ ହେଉଛି ଏଲନିନୋ । ଆଗକୁ କୃଷିକୁ ଆହୁରି ପ୍ରଭାବିତ କରିବ ଏହି ଉତ୍ତପ୍ତ ବାୟୁ। ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ଚଳିତ ବର୍ଷ କୃଷିକୁ ଭୟଙ୍କର ଭାବରେ ପ୍ରଭାବିତ କରିଛି ଜଳବାୟୁ । ୟୁରୋପ, ଆମେରିକାରେ ରେକର୍ଡ ଭାଙ୍ଗିଛି ତାତି। ଆଜି ଆମେରିକା ଓ ଚୀନର କିଛି ସ୍ଥାନରେ ୫୦ ଡିଗ୍ରୀ ସେଲସିଅସ ଟପିଛି ତାପାମାତ୍ରା।
କାଲିଫର୍ଣ୍ଣିଆ ଡେଥ ଭ୍ୟାଲିରେ ଆଜି ୫୩.୯ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି। ଚୀନରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାତି। ଜିନଜିଆଙ୍ଗ ଅଞ୍ଚଳରେ ୫୨.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ୟୁରୋପରେ ଗ୍ରୀଷ୍ମ ପ୍ରବାହ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଂକା ପ୍ରକାଶ ପାଇଛି। ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଚୀନରେ ଧାନ ଉତ୍ପାଦନ ହ୍ରାସ ପାଇଛି। ଆମେରିକାରେ ୩ ଦଶନ୍ଧି ଭିତରେ ଚଳିତ ବର୍ଷ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଚାଷ।
ଦକ୍ଷିଣ ୟୁରୋପରେ ଫଳ ଓ ପରିବା ଚାଷ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଇଟାଲୀ, ସ୍ପେନ, ପର୍ତ୍ତୁଗାଲ ଭଳି ଦେଶରେ କୃଷି ଉତ୍ପାଦନ ଚଳିତ ବର୍ଷ ୬୦ ପ୍ରତିଶତ କମ ହୋଇଛି। ବିଶ୍ୱରେ ଦ୍ରୁତ ଗତିରେ ଜଳବାୟୁ ପରିବର୍ତ୍ତନ ହେଉଛି। ଆଗକୁ ମରୁଡ଼ି ବଢ଼ିବ। ବର୍ଷା ଓ ବନ୍ୟା ବିତ୍ପାତ କରିବ। ଫଳରେ ପୃଥିବୀ ପାଇଁ ଖାଦ୍ୟ ସଂକଟ ଆହ୍ଵାନପୂର୍ଣ୍ଣ ହୋଇପାରେ। ଜଳବାୟୁ ପରିବର୍ତ୍ତନକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ ।