ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ସାମ୍ନାକୁ ଆସୁଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ମାମଲା ଥମୁନାହିଁ । ଏବେ ପୁଣି ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଘଟଣା ହାଇଦ୍ରାବାଦର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟର ବୋଲି ଜଣାପଡ଼ିଛି । ଏଠାରେ ସାଇ ତେଜା ନାମକ ବ୍ୟକ୍ତି ‘ଏକ୍ସ’ରେ ନିଜ ଖାଦ୍ୟରୁ ପୋକ ବାହାରିଥିବାର ଅଭିଯୋଗ ଆଣିଛନ୍ତି ।
ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ କୁକଟପଲ୍ଲୀର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟରୁ ସେ ଯେଉଁ ବିରିୟାନୀ ମଗାଇଥିଲେ, ତାହାର ଚିକେନ୍ ପିସ୍ରୁ ଏକ ପୋକ ବାହାରିିଛି ।
ସାଇ ତେଜା @cfs_telanganaକୁ ଟ୍ୟାଗ୍ କରି ଅଧିକାରୀମାନଙ୍କୁ ମାମଲାର ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏହାସହିତ ସ୍ୱିଗିକୁ ମଧ୍ୟ ଘଟଣା ବିଷୟରେ ଅବଗତ କରାଇଛନ୍ତି । ସ୍ୱିଗି ଏହି ମାମଲାରେ ଦୁଃଖ ପ୍ରକାଶ କରି କହିଛି ଯେ ପ୍ୟାକେଜିଂର କାମ ମୁଖ୍ୟତଃ ରେଷ୍ଟୁରାଣ୍ଟ ଦ୍ୱାରା କରାଯାଇଥାଏ ।
ଆରମ୍ଭରେ ସ୍ୱିଗି ସାଇ ତେଜାଙ୍କୁ ତାଙ୍କର ୩୧୮ ଟଙ୍କା ମୂଳ ବିଲ୍ରୁ ୬୪ ଟଙ୍କା ରିଫଣ୍ଡ ଦେବାକୁ କହିଥିଲା । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ସାଇ ତେଜା ସୋସିଆଲ ମିଡିଆରେ ଏକ ଚେତାବନୀ ବାର୍ତ୍ତା ପୋଷ୍ଟ୍ କରିଥିଲେ, ଯେଉଁଥିରେ ସେ ଅନ୍ୟମାନଙ୍କୁ ଉକ୍ତ ରେଷ୍ଟୁରାଣ୍ଟରୁ କିଛି ବି ଅର୍ଡର ନ କରିବାକୁ ପରାମର୍ଶ ଦେଇଛନ୍ତି ।
ରେଷ୍ଟୁରାଣ୍ଟ ମାଲିକ ଜଣେ ଷ୍ଟାଣ୍ଡଅପ୍ କମେଡିଆନ୍ । ଶେଷରେ ସୋସିଆଲ ମିଡିଆରେ ଏତେ ସବୁ ହଙ୍ଗାମା ପରେ ସ୍ୱିଗିର କଷ୍ଟମର୍ କେୟାର ଟିମ୍ ସାଇ ତେଜାଙ୍କ ସହ ଯୋଗାଯୋଗ କରିଥିଲା ଏବଂ ତାଙ୍କ ଅଭିଯୋଗକୁ ନେଇ ସମ୍ପୂର୍ଣ୍ଣ ରିଫଣ୍ଡ କରିଥିଲା ।
ନିକଟରେ ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ଖାଦ୍ୟରୁ ମଲା ସାପ ବାହାରିଥିଲା, ଯାହାକୁ ନେଇ କଲେଜ ପରିସରରେ ପ୍ରବଳ ହଙ୍ଗାମା ହୋଇଥିଲା । କର୍ତ୍ତୃପକ୍ଷ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।