‘ଆଜି ଗଙ୍ଗାରେ ମେଡାଲ ଭସାଇ ଦେବୁ’, ଜନ୍ତରମନ୍ତରରୁ ଉଠାଇବା ପରେ କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତି

ଏହି ମେଡାଲକୁ ଆଜି ଆମେ ଗଙ୍ଗାରେ ଭସାଇ ଦେବୁ । ଗଙ୍ଗ ମା’ ପବିତ୍ର । ଆଉ ଏମିତି ପବିତ୍ରତାରେ ଆମେ ଏହି ମେଡାଲ ହାସଲ କରିଥିଲୁ । ମେଡାଲ ଭସାଇବା ପରେ ଇଣ୍ଡିଆ ଗେଟ୍‌ରେ ଆମରଣ ଅନଶନରେ ବସିବେ ବୋଲି ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା ।

କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧା ଆଜି ସନ୍ଧ୍ୟାରେ ଗଙ୍ଗାରେ ମେଡାଲ ଭସାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ ପୁନିୟା, ବିନେଶ ଫଗୋଟ, ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆରେ ବୟାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଏହି ମେଡାଲକୁ ଆଜି ଆମେ ଗଙ୍ଗାରେ ଭସାଇ ଦେବୁ । ଗଙ୍ଗ ମା’ ପବିତ୍ର । ଆଉ ଏମିତି ପବିତ୍ରତାରେ ଆମେ ଏହି ମେଡାଲ ହାସଲ କରିଥିଲୁ ।

୨୮ ମଇରେ ଯାହା ହେଲା ଆପଣମାନେ ସମସ୍ତେ ଦେଖିଛନ୍ତି । ପୋଲିସ ଆମ ସହିତ ଏମିତି ବ୍ୟବହାର କରିଥିଲା । ଆମକୁ କେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା । ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲୁ ଆମଠାରୁ ଆନ୍ଦୋଳନ ସ୍ଥାନ ଛଡାଇ ନେବା ପରେ ପରଦିନ ଏହି ମାମଲାରେ ଆମ ନାଁରେ ଏଫଆଇଆର ଦାଏର କଲା । ମହିଳା କୁସ୍ତଯୋଦ୍ଧା ନିଜ ସହିତ ହୋଇଥିବା ଯୌନ ଉତ୍ପୀଡନ ପାଇଁ ନ୍ୟାୟ ମାଗିବା କ’ଣ ଅପରାଧ ? ପୋଲିସ ଆମ ସହିତ ଅପରାଧି ଭଳି ବ୍ୟବହାର କରୁଛି ।

ସେମାନେ ଆହୁରି ମଧ୍ୟ କହିଛନ୍ତି, ଏହି ମେଡାଲ ଆମ ଜୀବନ ଏବଂ ଆତ୍ମା । ଏହାକୁ ଆମେ ଗଙ୍ଗାରେ ଭସାଇ ଦେବା ପରେ ଆମ ଜୀବନର ଆଉ କିଛି ମୂଲ୍ୟ ରହିବ ନାହିଁ । ଏହାପରେ ଆମେ ଇଣ୍ଡିଆ ଗେଟରେ ଆମରଣ ଅନଶନରେ ବସିବୁ । ଆଜି ସନ୍ଧ୍ୟା ୬ଟାରେ ହରିଦ୍ୱାର ଗଙ୍ଗା ଘାଟରେ ନିଜର ମେଡାଲକୁ ବିସର୍ଜନ କରିବୁ ।

ସୂଚନାଯୋଗ୍ୟ, ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିୟା ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ୨୩ ଏପ୍ରିଲରୁ ଧାରଣା ଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୮ରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.