ଦାଉଦ ଇବ୍ରାହିମ୍‌ଙ୍କ ଜନ୍ମଦିନରେ ଲେଖିଲେ ‘‘Happy Birthday Boss’’, ବାନ୍ଧିନେଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

ଫେସ୍‌ବୁକ୍‌ରେ ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜଣେ ବ୍ୟକ୍ତି ହଟହଟା ହୋଇଛନ୍ତି। ଦାଉଦଙ୍କ ଜନ୍ମଦିନ ପାଳନ କରିଥିବା ବ୍ୟକ୍ତିଙ୍କୁ ବାନ୍ଧି ନେଇଛି ମୁମ୍ବାଇ ପୋଲିସ। ଗିରଫ ଅଭିଯୁକ୍ତମାନେ କେକ୍‌ କାଟି ଦାଉଦଙ୍କ ଜନ୍ମଦିନ ପାଳନ କରିବା ସହ ତାହାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ।

ଡିସେମ୍ବର ୨୬ ତାରିଖରେ ଫେସ୍‌ବୁକ୍‌ରେ ଶେର ଦିଲ ଲାଲା, ମୁନିର ଲାଲା ଓ ଶେରା ଚିକନା ନାମକ ଆକାଉଣ୍ଟରୁ ଦାଉଦ ଇବ୍ରାହିମ୍‌ଙ୍କ ଜନ୍ମଦିନ ପାଳନର ଫଟୋ ସେୟାର କରାଯାଇଥିଲା। ଏହି ଫଟୋକୁ ଡନ୍‌ ଡନ୍‌ ଖାନ୍‌, ଡନ୍‌ ମୁମ୍ବାଇ, ଶେର ଖାନ୍‌, ଦାଉଦ ଇବ୍ରାହିମ୍‌ ଓ ମୁନିର ଲାଲା ଆକାଉଣ୍ଟରୁ ଲାଇକ୍‌ ମଧ୍ୟ କରାଯାଇଥିଲା। ଫେସ୍‌ବୁକ୍‌ରେ ସେମାନେ ଦାଉଦଙ୍କ ପୁରୁଣା ଫଟୋ ଓ କେକ୍‌ର ଫଟୋ ପୋଷ୍ଟ କରିଥିଲେ। ଦାଉଦଙ୍କୁ ସେମାନେ ଫେସ୍‌ବୁକ୍‌ରେ ‘‘Happy Birthday Boss’’ ଲେଖି ଶୁଭେଚ୍ଛା ଜଣାଇଥିଲେ।

ଏହି ପୋଷ୍ଟ ଉପରେ ନଜର ପଡ଼ିବା ବେଳେ ତତ୍‌କ୍ଷଣାତ୍‌ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆକ୍ସନ୍‌ ମୋଡ୍‌କୁ ଚାଲିଆସିଥିଲା ଓ ଖୋଜି ଖୋଜି ଏହି ସମସ୍ତ ଅଭିଯୁକ୍ତଙ୍କୁ ନିଜ କବ୍‌ଜାକୁ ନେଇଥିଲା। କ୍ରାଇମ୍‌ବ୍ରାଞ୍ଚ ବର୍ତ୍ତମାନ ମାମଲାର ଯାଞ୍ଚ ଚଳାଇଛି। ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.