ଆମରଣ ଅନଶନରୁ ଓହରିଲା ଆତଙ୍କୀ ସଂଗଠନ ମୁଖ୍ୟ ୟାସିନ୍‌ ମଲିକ, ୧୦ ଦିନ ହେଲା କିଛି ଖିଆପିଆ କରିନଥିବା ସୂଚନା

ନୂଆଦିଲ୍ଲୀ: ତିହାର ଜେଲରେ ଆମରଣ ଅନଶନରେ ବସିଥିବା ଜମ୍ମୁ-କାଶ୍ମୀର ଲିବେରେସନ୍‌ ଫ୍ରଣ୍ଟର ପ୍ରତିଷ୍ଠାତା ୟାସିନ୍‌ ମଲିକ ଅନଶନ ଶେଷ କରିଛି। ଦାବି ପୂରଣ ପାଇଁ ସେ ଗତ ୧୦ ଦିନ ହେଲାଣି ଆମରଣ ଅନଶନରେ ବସିଥିଲା। ସୋମବାର ସେ ଅନଶନ ଭାଙ୍ଗିଛି। ଜେଲ କର୍ତ୍ତୃପକ୍ଷ ତାଙ୍କୁ ତାଙ୍କ ଦାବି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ନେଇ ଜଣାଇବା ପରେ ୟାସିନ୍‌ ଅନଶନରୁ ଓହରିଥିଲା।

ମାମଲାର ତଦନ୍ତ ଠିକ୍‌ ଭାବେ ହେଉନଥିବା ନେଇ କରିଥିଲା ଅଭିଯୋଗ:

ୟାସିନ୍‌ ମଲିକ ଗତ ଜୁଲାଇ ୨୨ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିଲା। ସେ ଅଭିଯୋଗ କରିଥିଲା ଯେ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଉ ନାହିଁ। ଏହା ପରଠାରୁ ଜେଲ ପ୍ରଶାସନ ଲଗାତାର ତାକୁ ଅନଶନ ବନ୍ଦ କରିବାକୁ କହି ଆସୁଥିଲେ। କିନ୍ତୁ ସେ ଖାଦ୍ୟ ଖାଇବାକୁ ମନା କରିବା ସହ ଅନଶନ ଭାଙ୍ଗିବନି ବୋଲି ଅଡ଼ି ବସିଥିଲା।


ଦିଲ୍ଲୀ ଜେଲର ମହାନିର୍ଦ୍ଦେଶକଙ୍କ ଅନୁରୋଧରେ ଭାଙ୍ଗିଲା ଅନଶନ:

ୟାସିନ୍‌ ମଲିକ ଅନଶନ ଭାଙ୍ଗିବା ନେଇ ଜେଲ ଅଧିକାରୀ କହିଛନ୍ତି, ସେ ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ ଅନୁରୋଧ ରକ୍ଷା କରି ଆମରଣ ଅନଶନରୁ ଓହରିଛି। ଜେଲର ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାନିର୍ଦ୍ଦେଶକ ମଲିକଙ୍କୁ କହିଥିଲେ ଯେ ସେ କରିଥିବା ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ଦିଆଯାଇଛି। ସେ ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ଶୁଣାଇବେ। ଏହା ଶୁଣିବା ପରେ ୟାସିନ୍‌ ମଲିକ ଆମରଣ ଅନଶନରୁ ଓହରିଛି।

କ’ଣ ଥିଲା ୟାସିନ୍‌ର ଦାବି?

ରୁବୈୟା ସଇଦଙ୍କ ଅପହରଣ ସହ ଜଡ଼ିତ ମାମଲାରେ ୟାସିନ୍‌ ମଲିକ ଜମ୍ମୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅନୁରୋଧ କରିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଏନେଇ କୌଣସି ଜବାବ ନ ମିଳିବାରୁ ସେ ଆମରଣ ଅନଶନରେ ବସିଥିଲା। ଏହି କେସ୍‌ରେ ୟାସିନ୍‌ ମଧ୍ୟ ଜଣେ ଦୋଷୀ। ଏହି ମାମଲାର ସଠିକ୍‌ ତଦନ୍ତ ହେଉ ବୋଲି ମଧ୍ୟ ୟାସିନ୍‌ ଦାବି କରିଥିଲା।

Also Read: ରଣବୀରଙ୍କ ପରେ ଏବେ ନକୁଲ ମେହେତା ବି କଲେ ନଗ୍ନ ଫଟୋସୁଟ୍‌, ରାଗିଯାଇ କମେଣ୍ଟ ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କଲେ ସ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.