ହାଥରସ୍ ଦଳାଚକଟା : ଘଟଣାସ୍ଥଳରେ ପହଞ୍ଚିଲେ, ହସପିଟାଲରେ ଆହତଙ୍କୁ ଭେଟି ଭଲମନ୍ଦ ବୁଝିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ
ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୨୧ରେ ପହଞ୍ଚିଛି । ସତ୍ସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଏହି ଘଟଣାରେ ୧୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସପିଟାଲରେ ପହଞ୍ଚିଛନ୍ତି । ଆହତଙ୍କୁ ସାକ୍ଷାତ କରି ଭଲମନ୍ଦ ପଚାରି ବୁଝିଛନ୍ତି ।
ଏସଡିଏମ ରିପୋର୍ଟରେ ଖୁଲାସା ହୋଇଛି କି, ସତସଙ୍ଗରେ ୨ ଲକ୍ଷରୁ ଅଧିକ ଭିଡ ଥିଲେ । ବାବା ସତସଙ୍ଗରୁ ବାହାରକୁ ବାହାରିବା ବେଳେ ଲୋକେ ତାଙ୍କ ପଛରେ ଦୌଡିଥିଲେ । ବାବାଙ୍କ ଚରଣ ଧୂଳି ନୋବ ପାଇଁ ଲୋକେ ଦୌଡିବା ବେଳେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ । ଏହାପରେ ଏଭଳି ଦଳାଚକଟା ସ୍ଥିତି ଉପୁଜିଥିଲା ।
ଉତ୍ତରପ୍ରଦେଶ ହାଥରସର ରତିଭାନପୁରରେ ସତସଙ୍ଗ କାର୍ଯ୍ୟକ୍ରମରେ ଧର୍ମଗୁରୁ ଭୋଲେବାବା ଓରଫ୍ ନାରାୟଣ ସାକାରଙ୍କ ସତସଙ୍ଗରେ ଥିଲେ ୨ ଲକ୍ଷରୁ ଅଧିକ ଭିଡ ଥିଲେ । ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ପାଦ ଛୁଇଁବାକୁ ଏବଂ ବାହାରିବାକୁ ଉଦ୍ୟମ କରିବା ବେଳେ ଦଳାଚକଟା ହୋଇ ସତସଙ୍ଗ୍ ପାଲିଟିଗଲା ଶ୍ମଶାନ । ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ପରେ ଭୋଲେବାବା ଫେରାର ଅଛନ୍ତି । ସତସଙ୍ଗ ଆୟୋଜକଙ୍କ ନାଁରେ ଏତଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ସଭାସ୍ଥଳରେ ଲୋକଙ୍କ ବାହାରିବା ପାଇଁ ରାସ୍ତା ନଥିଲା । ଏତେ ବଡ ଆୟୋଜନରେ SOP ପାଳନ କରାଯାଇନଥିବା ଜଣାପଡ଼ିଛି । ଅତ୍ୟଧିକ ଭିଡ ସହ ଆନୁଷଙ୍ଗିକ ବ୍ୟବସ୍ଥା ସଠିକ୍ ନଥିବା, ଅତ୍ୟଧିକ ଗରମ ଗୁଳୁଗୁଳିରେ ଅଣ ନିଶ୍ବାସୀ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। ପୋଲିସ ଅଧିକ ତଦନ୍ତ କରୁଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ହାଥରସ ମୃତକଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।