କେବଳ ୧ ଟଙ୍କାରେ ଘର ଦେବେ ଯୋଗୀ ସରକାର, କର୍ମଚାରୀ ଓ ଓକିଲଙ୍କ ପାଇଁ ଆସୁଛି ନୂଆ ଯୋଜନା; ଯୋଗ୍ୟତା ଭିତ୍ତିରେ ବଛାଯିବେ ହିତାଧିକାରୀ

ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଯୋଗୀ ସରକାର ଏକ ବଡ଼ ଯୋଜନା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ସରକାର ଗ୍ରୁପ୍‌ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବ୍‌ସିଡି ଉପରେ ଘର ଯୋଗାଇବାକୁ ଯାଉଛନ୍ତି। ଏହି ଘରଗୁଡ଼ିକୁ କିଣିବା ଲାଗି କ୍ରେତାଙ୍କଠାରୁ ନାମମାତ୍ର ମୂଲ୍ୟ କେବଳ ୧ ଟଙ୍କା ନିଆଯିବ। କ୍ରେତାଙ୍କୁ ଏହି ସର୍ତ୍ତ ଉପରେ ରିହାତି ଦିଆଯିବ ଯେ ସେମାନେ ଏହି ଘରକୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି କରି ପାରିବେ ନାହିଁ।

ସୂଚନା ଅନୁସାରେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବୈଠକରେ ଏ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଉଚ୍ଚ ସ୍ତରରୁ ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରାଯିବ। ଯୋଜନାର ଲାଭ କ୍ୟାବିନେଟ୍‌ ଦ୍ୱାରା ପ୍ରସ୍ତାବ ପାରିତ ହେବା ପରେ ହିଁ ହିତାଧିକାରୀଙ୍କୁ ମିଳିବ। ଯଦିଓ ଏ ପର୍ଯ୍ୟନ୍ତ ଗ୍ରୁପ୍‌ ସି ଓ ଡିର କର୍ମଚାରୀ ଏବଂ ଓକିଲମାନଙ୍କୁ ରିହାତିରେ ଘର ଦେବାରେ କୌଣସି ବ୍ୟବସ୍ଥା ହୋଇ ନାହିଁ। କହି ରଖୁଛୁ, ଏହି ଦୁଇଟି ଗ୍ରୁପ୍‌ର ଯେଉଁ କର୍ମଚାରୀ ଏବଂ ଓକିଲଙ୍କ ପାଖରେ ଅଧିକ ଆୟ ନାହିଁ, ସେମାନେ ଘର ଖଣ୍ଡିଏ ପାଇବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ରିହାତିରେ ଘର ଉପଲବ୍ଧ କରେଇବା ଉପରେ ବିଚାର ବିମର୍ଶ କରି ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି।

ତେବେ ଘର ଦେବାର ପ୍ରକ୍ରିୟା କ’ଣ ହେବ ଏବଂ ଏହା କିପରି କରାଯିବ, ସେ ନେଇ ପ୍ରାରମ୍ଭିକ ଆଲୋଚନାରେ ସହମତ ପ୍ରକାଶ ପାଇଛି। କେବଳ ଯୋଗ୍ୟତା ମାନଦଣ୍ଡ ପରେ ହିଁ ନିଷ୍ପତ୍ତି ନିଆଯିବ। ସେପଟେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ସମ୍ବନ୍ଧିତ ବିଭାଗ ନୋଡାଲ ହେବ। ଅଧିବକ୍ତା ଏବଂ କାର୍ମିକ ନ୍ୟାୟ ବିଭାଗକୁ ଗ୍ରୁପ୍‌ ସି ଓ ଡି କର୍ମଚାରୀଙ୍କ ପାଇଁ ନୋଡାଲ କରାଯାଇଛି। ସୂଚନା ଅନୁସାରେ, ଗୃହ ଓ ନଗର ଯୋଜନା ବିଭାଗ ନାଜୁଲଙ୍କ ଜମିକୁ ନୋଡାଲ ବିଭାଗକୁ ଲିଜ୍‌ରେ ଉପଲବ୍ଧ କରାଇବ। ରାଜସ୍ୱ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ଜମି ଆବଶ୍ୟକତା ଆଧାରରେ ସମ୍ପୃକ୍ତ ବିଭାଗୀୟ ନିୟମ ଅନୁସାରେ ନୋଡାଲ ବିଭାଗକୁ ଉପଲବ୍ଧ କରାଯିବ। ଏହି ଯୋଜନା ଅଧୀନରେ ନିର୍ମିତ ଘରଗୁଡ଼ିକ ଉପରେ ହିତାଧିକାରୀଙ୍କୁ ସବ୍‌ସିଡି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.