ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପେରୁମୁଦା ଗାଁରେ ବନ୍ଧୁର ବିବାହ ଭୋଜିକୁ ଆସିଥିବା ଜଣେ ଯୁବକ ହୃଦଘାତର ଶିକାର ହୋଇଛନ୍ତି, ଯେଉଁଥିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ମଞ୍ଚ ଉପରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ନବଦମ୍ପତିଙ୍କୁ ଉପହାର ଦେଉଥିବା ବେଳେ ହଠାତ୍ ତାଙ୍କୁ ହୃଦଘାତ ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ ।
ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି କି, ମଞ୍ଚରେ ବରକନ୍ୟା ଠିଆ ହୋଇଛନ୍ତି । ସେମାନଙ୍କ ସହିତ ବରର ସାଙ୍ଗମାନେ ଅଛନ୍ତି । ସମସ୍ତେ ମିଶି ନବଦମ୍ପତିଙ୍କୁ ଉପହାର ଦେବା ସହ ମଞ୍ଚ ଉପରେ ଥଟ୍ଟାମଜା କରୁଛନ୍ତି । ଏହି ସମୟରେ ହଠାତ୍ ଜଣେ ଯୁବକ ନିଜକୁ ଅସହଜ ଅନୁଭବ କରୁଛନ୍ତି ଏବଂ ତଳେ ପଡ଼ିଯିବାର ଭାବି ସେ ଅନ୍ୟ ସାଙ୍ଗମାନଙ୍କ ସାହାରା ଲୋଡ଼ୁଛନ୍ତି । ଯେତେବେଳେ ସାଙ୍ଗମାନେ ତାଙ୍କୁ ଧରି ନେଉଛନ୍ତି, ସେତିକି ବେଳେ ସେ ତଳେ ପଡ଼ିଯାଉଛନ୍ତି ।
ଏହି ଘଟଣା ପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠି ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ମୃତକଙ୍କ ନାମ ଭାମସି, ସେ ବେଙ୍ଗାଲୁରୁରେ କାମ କରୁଥିଲେ । ଭାମସି ନିଜ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଗାଁକୁ ଆସିଥିଲେ । ବିବାହରେ ହସଖୁସିର ମାହୋଲ ଥିବା ବେଳେ ଏହି ଘଟଣା ଘଟିଥିଲା । ବନ୍ଧୁର ବିବାହ ଉତ୍ସବରେ ବନ୍ଧୁର ମୃତ୍ୟୁରେ ପୂରା ଗାଁରେ ଶୋକର ଛାଇ ଖେଳିଯାଇଛି ।