କି ପ୍ରେମ ଲୋ ମା’: ଗାର୍ଲଫ୍ରେଣ୍ଡ ଜିଦ୍‌ କରିବାରୁ ଦୋକାନ ଭାଙ୍ଗିଲା ପ୍ରେମିକ, ଚୋରି କରିନେଲା ୭୦୦ ଚକୋଲେଟ୍‌

ପ୍ରେମ ଏକ ଏଭଳି ଭୂତ, ଯାହା ଥରେ ମୁଣ୍ଡରେ ଚଢ଼ିଲେ ବ୍ୟକ୍ତି କିଛି କରିବା ପୂର୍ବରୁ ଥରେ ଚିନ୍ତା ବି କରେନି। ପ୍ରେମିକାର ଇଚ୍ଛାକୁ ପୂରଣ କରିବାକୁ ପ୍ରେମିକ ସବୁ କିଛି କରିବାକୁ ଆଗଭର ହୋଇଯାଏ। ତାହା କେତେ ଦୂର ଠିକ୍‌ ତା’ ବି ବୁଝେନି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନର ଚିତ୍ରକୂଟନଗରର ଅବିନାଶ ନାମକ ଜଣେ ଯୁବକ ବିଳମ୍ବିତ ରାତିରେ ନିଜ ଗାର୍ଲଫ୍ରେଣ୍ଡଙ୍କ ଚକୋଲେଟ୍‌ ଖାଇବା ଜିଦ୍‌କୁ ପୂରା କରିବା ପାଇଁ କିଛି ଏମିତି କାଣ୍ଡ କଲେ ଯେ ଶେଷରେ ତାଙ୍କୁ ଜେଲର ହାଓ୍ଵା ଖାଇବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ଅବିନାଶଙ୍କ ଗାର୍ଲଫ୍ରେଣ୍ଡ ଚକୋଲେଟ୍‌ ଖାଇବାକୁ ଜିଦ୍‌ କରିଥିଲା। ପ୍ରେମିକାର ଜିଦ୍‌ ପୂରଣ କରିବାକୁ ଅବିନାଶ ବିଳମ୍ବିତ ରାତିରେ ରାସ୍ତାରେ ଦୋକାନ ଖୋଜିଥିଲା। ମାତ୍ର ଦୋକାନ ବନ୍ଦ ଥିବାରୁ ସେ ନିରାଶ ହୋଇଥିଲା। ଶେଷରେ ବାଧ୍ୟ ହୋଇ ସେ ଏକ ଦୋକାନର ତାଲା ଭାଙ୍ଗି ୨୦ ହଜାର ଟଙ୍କାର ଚକୋଲେଟ୍‌ ଚୋରାଇ ନେଇଥିଲା।

choco
Image Credit: livehindustan

ଦୋକାନୀର କହିବାନୁସାରେ, ତାଙ୍କର ୭୦୦ ଚକୋଲେଟ୍‌ ଚୋରି ହୋଇଛି। ଅବିନାଶ ଚିତ୍ରକୂଟ ନଗରରେ ରୁହନ୍ତି। ଫ୍ରିଜ୍‌ରେ ଚକୋଲେଟ୍‌ ଥିବାର ସେ ପୂର୍ବରୁ ଜାଣିଥିଲେ। ପୋଲିସ ଚକୋଲେଟ୍‌ ଜବତ କରିବା ପରେ ସେଥିରେ ୫ଟି କମ୍‌ ଥିଲା।

ସିସିଟିଭିରୁ ଜଣାଯାଇଛି ଯେ ଫ୍ରିଜ୍‌ରେ ୫ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୭୦୦ ଟି ଚକୋଲେଟ୍‌ ଥିଲା। ସବୁ ଚକୋଲେଟ୍‌ ଚୋରି ହୋଇଯାଇଛି। ଅଭିଯୁକ୍ତ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।