ଦିଲ୍ଲୀ: LNJP ହସ୍ପିଟାଲରେ କରେଣ୍ଟ୍ ଲାଗି ଯୁବକଙ୍କ ମୃତ୍ୟୁ, ସପ୍ତାହ ତଳେ ରେଳ ଷ୍ଟେସନରେ ଯାଇଥିଲା ମହିଳାଙ୍କ ଜୀବନ
ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏବେ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲର ବେସ୍ମେଣ୍ଟରେ କରେଣ୍ଟ୍ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ଯୁବକଙ୍କ ଘର ବିହାରର ସମସ୍ତିପୁର ଜିଲ୍ଲାରେ। ୧୮ ବର୍ଷୀୟ ଏହି ଯୁବକଙ୍କ ନାମ ସୁଜିତ କୁମାର।
ମିଡିଆ ରିପୋର୍ଟ ମୁତାବକ, ସୁଜିତ ହସ୍ପିଟାଲର ବେସ୍ମେଣ୍ଟରେ କାମ କରୁଥିଲେ। ହସ୍ପିଟାଲ ପରିସରରେ ସେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ବେସ୍ମେଣ୍ଟରେ ପାଣି ଭରିରହିବା ହେତୁ ସେଠାରେ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା। ଏହି ସମୟରେ ସୁଜିତ କୁମାର କାମ କରିବା ପାଇଁ ବେସମେଣ୍ଟକୁ ଯାଇଥିଲେ। ହେଲେ ସେ କୌଣସି ପ୍ରକାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଯେତେବେଳେ ସୁଜିତ୍ଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା, ସେହି ସମୟରେ ତାଙ୍କର ଅନ୍ୟ ସାଥୀମାନେ ତାଙ୍କଠାରୁ କିଛି ଦୂରରେ ଥିଲେ। ବିଦ୍ୟୁତ ଆଘାତ ଲାଗିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିଛି ଯେ ରବିବାର ସକାଳେ ଏହି ଘଟଣା ଘଟିଛି।
ସୂଚନାଥାଉ କି, ଜୁନ୍ ୨୫ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଷ୍ଟେସନ ପରିସରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା।